ହାଇଦ୍ରାବାଦ୍: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡକୁ ପୂରା ଦେଶବାସୀ ଭୁଲିପାରି ନଥିବା ବେଳେ ହାଇଦ୍ରାବାଦ୍ରେ ଏଭଳି ଏକ ଘଟଣା ଘଟିଛି, ଯାହାକି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ହାଇଦ୍ରାବାଦ୍ରେ ଘଟିଥିବା ହତ୍ୟାକାଣ୍ଡ ଲୋମ ଠିଆ କରିଦେଉଛି। ଅଭିଯୁକ୍ତ ଜଣକ ସ୍ତ୍ରୀଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି କାଟିଛି। ଏହା ପରେ ପ୍ରେସରକୁକରରେ ସିଝାଇ ହ୍ରଦରେ ଫିଙ୍ଗିଦେଇଛି। ଅଭିଯୁକ୍ତ ସ୍ବାମୀ ପୁଲିସ ଆଗରେ ଏହା ସ୍ବୀକାର କରିଛି।
ରିପୋର୍ଟ ଅନୁସାରେ ପୁଲିସ ୩୫ ବର୍ଷୀୟ ମହିଳାଙ୍କ ହତ୍ୟା ସନ୍ଦେହରେ ତାଙ୍କର ସ୍ବାମୀଙ୍କୁ ଅଟକ ରଖିଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ସ୍ବାମୀ କହିଥିଲା ଯେ, ସେ ସ୍ତ୍ରୀଙ୍କୁ ପ୍ରଥମେ ହତ୍ୟା କରିଥିଲା। ପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିଥିଲା। ଏହା ପରେ ପ୍ରେସରକୁକରରେ ସିଝାଇଥିଲା। ଏହାକୁ ହ୍ରଦାରେ ଫିଙ୍ଗି ଦେଇଥିଲା। ମରିବା ପୂର୍ବରୁ ମହିଳା ଜଣକ ଏକ ସପ୍ତାହ ଆଗରୁ ନିଖୋଜ ଥିଲେ। ତାଙ୍କର ବାପା-ମା’ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ।
ପୂର୍ବତନ ସୈନିକ ଓ ବର୍ତ୍ତମାନ ଏକ ସଂସ୍ଥାରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଅଭିଯୁକ୍ତ ସ୍ବାମୀ କହିଛି, ସ୍ତ୍ରୀ ସହିତ ପାରିବାରିକ କଳହ ଥିଲା। ରାଗରେ ହତ୍ୟା କରିଥିଲା। ଶରୀରକୁ ଖଣ୍ଡଖଣ୍ଡ କରିଥିଲା। ପ୍ରେସରକୁକରରେ ସିଝାଇ ପାଣିରେ ଫିଙ୍ଗି ଦେଇଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରି ମାମଲାର ଅଧିକ ତଦନ୍ତ କରୁଛି।
ପୁଲିସରୁ ମିଳିଥିବା ତଥ୍ୟ ଅନୁସାରେ ଅଭିଯୁକ୍ତଙ୍କର ନାମ ଗୁରୁ ମୂର୍ତ୍ତି। ଅଭିଯୁକ୍ତ ସେନାରୁ ଅବସର ନେଇ ଥିଲେ ଏବଂ ସେବାନିବୃତ୍ତ ହୋଇଛନ୍ତି। ସେ ବର୍ତ୍ତମାନ କଞ୍ଚନବାଗରେ ସୁରକ୍ଷା ଗାର୍ଡ ଭାବରେ କାମ କରୁଛନ୍ତି। ଗୁରୁ ମୂର୍ତ୍ତିଙ୍କର ବିବାହ ୧୩ ବର୍ଷ ପୂର୍ବରୁ ୱେଙ୍କଟ ମାଧବୀ ସହିତ ହୋଇଥିଲା। ଦୁଇଜଣଙ୍କର ଦୁଇଟି ଶିଶୁ ଅଛି। ମୀରପେଟ ପୁଲିସ କହିଛି ଯେ ଏହି ହତ୍ୟା ମାମଲାର ତଦନ୍ତ ଚାଲିଛି ଏବଂ ଶୀଘ୍ର ସମ୍ପୂର୍ଣ୍ଣ ବିବରଣୀ ସାମ୍ନାରେ ଆସିବ।