ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଆଧ୍ୟାତ୍ମିକ ଧର୍ମଗୁରୁ ଜଗି ବାସୁଦେବ(ସଦଗୁରୁ)ଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଇଶା ଫାଉଣ୍ଡେସନ ବିରୋଧରେ ମାଦ୍ରାସ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ତଦନ୍ତ ଆଦେଶ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି । ମାଦ୍ରାସ ହାଇକୋର୍ଟ ନିଜ ଆଦେଶରେ ତାମିଲନାଡୁ ସରକାରଙ୍କୁ ଫାଉଣ୍ଡେସନ ବିରୋଧରେ ରୁଜୁ ସମସ୍ତ ଅପରାଧିକ ମାମଲାର ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଫାଉଣ୍ଡେସନ । ଆଜି ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟ ଦ୍ୱାରା ପୋଲିସକୁ ଦିଆଯାଇଥିବା ତଦନ୍ତ ନିର୍ଦ୍ଦେଶ ଉପରେ ରୋକ୍ ଲଗାଯାଉଛି । ଇଶା ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି କୋର୍ଟରେ ହାଜର ହୋଇ କହିଛନ୍ତି, ଏହା ଧାର୍ମିକ ସ୍ୱାଧୀନତା ସଂପର୍କିତ ମାମଲା । ଏହା ବହୁତ ଗମ୍ଭୀର ଓ ତତ୍କାଳିକ ମାମଲା । ଏହା ଇଶା ଫାଉଣ୍ଡେସନ ସହ ଜଡିତ, ଯେଉଁଠି ସଦଗୁରୁ ରହିଛନ୍ତି, ଯାହାଙ୍କ ଲକ୍ଷାଧିକ ଅନୁଗାମୀ ଅଛନ୍ତି । ହାଇକୋର୍ଟ ମୌଖିକ ଅଭିଯୋଗ ଆଧାରରେ ଏମିତି ତଦନ୍ତ କରାଯାଇ ପାରିବ ନାହିଁ ।
ଅବସରପ୍ରାପ୍ତ ଅଫିସର ଏସ କାମରାଜଙ୍କ ଦ୍ୱାରା ଦାୟର ଯାଚିକା ଆଧାରରେ ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କାମରାଜ ଅଭିଯୋଗ କରିଛନ୍ତି ଯେ, ତାଙ୍କର ଦୁଇ ଶିକ୍ଷିତ ଝିଅ ଯାହାଙ୍କ ବୟସ ୪୨ ବର୍ଷ ଓ ୩୯ ବର୍ଷ, ଉଭୟଙ୍କୁ କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରରେ ରହିବା ପାଇଁ ବ୍ରେନୱାସ କରାଯାଇଛି । କାମରାଜ କୋର୍ଟରେ ଜଣାଇଥିଲେ ଯେ, ଫାଉଣ୍ଡେସନର ଅଧିକାରୀ ତାଙ୍କ ଦୁଇ ଝିଅଙ୍କୁ ତାଙ୍କ ପରିବାର ସହ କୌଣସି ପ୍ରକାରର ଯୋଗାଯୋଗ କରିବାକୁ ଦେଉ ନାହାନ୍ତି । ଏପରିକି ଫାଉଣ୍ଡେସନ ବିରୋଧରେ ଅନେକ ଅପରାଧିକ ମାମଲା ଓ ଯୌନ ଉତ୍ପୀଡନ ଅଭିଯୋଗ ରହିଛି ।
ମାଦ୍ରାସ ହାଇକୋର୍ଟ ଫାଉଣ୍ଡେସନ ବିରୋଧରେ ଅନେକ ଅଭିଯୋଗ ରହିଥିବାରୁ ମାମଲା ତଦନ୍ତ ଯୋଗ୍ୟ ବୋଲି ଦର୍ଶାଇଥିଲେ । କୋର୍ଟ ଏହା ଉପରେ ଗମ୍ଭୀର ସନ୍ଦେହ ବ୍ୟକ୍ତ କରିଥିଲେ ଯେ, ବାସୁଦେବ ନିଜ ଝିଅଙ୍କ ବାହାଘର କରାଇ ତାଙ୍କୁ ସମୃଦ୍ଧ ଜୀବନ ଦେଇଛନ୍ତି । ମାତ୍ର ସେ ଅନ୍ୟ ମହିଳାଙ୍କୁ ସାଂସାରିକ ଜୀବନ ଛାଡି ସନ୍ନ୍ୟାସ ନେବାକୁ ପ୍ରୋତ୍ସାହିତ କରୁଛନ୍ତି । ଏହି ସନ୍ଦେହ ଆଧାରରେ ହାଇକୋର୍ଟ ଇଶା ଫାଉଣ୍ଡେସନ ବିରୋଧରେ ନିର୍ଦ୍ଦେଶ ଜାରି କରିଥିଲେ ।