ଉଡନ୍ତା ଫ୍ଲାଇଟରେ ଦେବଦୂତ ସାଜିଲେ ଡାକ୍ତର । ଜରୁରୀକାଳୀନ ଚିକିତ୍ସା କରି ବଞ୍ଚେଇଲେ ୬ ମାସ ଶିଶୁର ଜୀବନ । ସୂଚନା ଅନୁସାରେ, ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ଇଣ୍ଡିଗୋ ଫ୍ଲାଇଟ । ଫ୍ଲାଇଟଟି ଉଡ଼ାଣ ଭରିସାରିବାପରେ ହଠାତ ଫ୍ଲାଇଟରେ ନିଜ ବାପା ମାଙ୍କ ସହିତ ଯାତ୍ରା କରୁଥିବା ୬ ମାସ ଶିଶୁର ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା । ଶିଶୁଟିର ଏଭଳି ପରିସ୍ଥିତି ଦେଖି ବାପା ମା କ'ଣ କରିବେ କିଛି ଜାଣିପାରିଲେ ନାହିଁ । ଫ୍ଲାଇଟଟି ମଧ୍ୟ ଜରୁରୀକାଳୀନ ଅବତରଣ କରିବା ପରିସ୍ଥିତିରେ ନ ଥିଲା । ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିଲା । ଗୋଟେ ପଟେ ଶିଶୁର ନିଶ୍ୱାସ ନେବାରେ ସମସ୍ୟା ବଢ଼ିବାରେ ଲାଗିଥିଲା ଅନ୍ୟପଟେ ବାପା ମାଙ୍କ ଚିନ୍ତା ବଢ଼ୁଥିଲା । ଏପରି ଘଟଣା ପରେ ଫ୍ଲାଇଟରେ କିଏ ଡାକ୍ତର ଅଛନ୍ତି ବୋଲି କ୍ରୁ ସଦସ୍ୟମାନେ ଆନାଉନ୍ସ କରିଥିଲେ ।
ସୋଭାଗ୍ୟବଶତଃ ଉକ୍ତ ଫ୍ଲାଇଟରେ ୨ ଜଣ ଡାକ୍ତର ଉପସ୍ଥିତ ଥିଲେ । ଉପସ୍ଥିତ ଥିବା ଡାକ୍ତର ଦ୍ବୟଙ୍କ ମଧ୍ୟରୁ ଜଣେ ଆଇଏଏସ ଅଧିକାରୀ ତଥା ପ୍ରଶିକ୍ଷଣ ପ୍ରାପ୍ତ ଡାକ୍ତର ଏବଂ ଆଉ ଜଣେ ରାଞ୍ଚି ସଦର ଡାକ୍ତରଖାନାର ଡାକ୍ତର । ଏହି ଆନାଉନ୍ସ ଶୁଣିବା ପରେ ଡାକ୍ତର ଦ୍ବୟ ଶିଶୁଟିର ଜୀବନ ବଞ୍ଚେଇବା ପାଇଁ ଆଗକୁ ଆସିଥିଲେ । ଉଭୟ ଡାକ୍ତର ଜରୁରୀକାଳୀନ ଚିକିତ୍ସା କରିବା ପାଇଁ ମାସ୍କ ଏବଂ କିଛି ଔଷଧ ବ୍ୟବହାର କରି ଶିଶୁକୁ ଅକ୍ସିଜେନ ଦେବାକୁ ଚେଷ୍ଟା କରିଥିଲେ । ଡାକ୍ତର କରିଥିବା ସମସ୍ତ ଚେଷ୍ଟା ସଫଳ ହୋଇଥିଲା ଓ ଶିଶୁଟିର ଜୀବନ ବଞ୍ଚିଯାଇଥିଲା ।ଡାକ୍ତରଙ୍କ ସୂଚନା ଅନୁସାରେ, ଶିଶୁଟିର ଜରୁରୀକାଳୀନ ଚିକିତ୍ସା ପାଇଁ ଶିଶୁ ମାସ୍କ କିମ୍ବା କ୍ୟାନୁଲା ଉପଲବ୍ଧ ନ ଥିବାରୁ ବୟସ୍କ ମାସ୍କ ମାଧ୍ୟମରେ ଶିଶୁକୁ ଅକ୍ସିଜେନ ଯୋଗାଇ ଦିଆଯାଇଥିଲା । ଶିଶୁଟି ଜନ୍ମଗତ ହୃଦରୋଗରେ ପୀଡିତ ଥିଲା ବୋଲି ସୂଚନା ମିଳିଥିଲା । ଶିଶୁର ହୃଦରୋଗର ଚିକିତ୍ସା ପାଇଁ ତାର ବାପା ମା’ ଶିଶୁକୁ ଦିଲ୍ଲୀ AIIMSକୁ ନେଉଥିଲେ । କିନ୍ତୁ ଏମିତି ଏକ ଅଭାବନୀୟ ଘଟଣାଟି ମଝି ଆକାଶରେ ଘଟିଲା ।
ଫ୍ଲାଇଟଟିର ଅବତରଣ ପରେ ଶିଶୁଟିକୁ ଇଞ୍ଜେକ୍ସନ ଏବଂ ଅକ୍ସିଜେନ ଦିଆଯାଇଥିଲା । ଯାହା ଫଳରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେଇଥିଲା । ଷ୍ଟେଥୋସ୍କୋପ ଦ୍ୱାରା ଶିଶୁର ହୃଦସ୍ପନ୍ଦନ ଉପରେ ମଧ୍ୟ ନଜର ରଖାଯାଇଥିଲା । ପ୍ରଥମ ୧୫-୨୦ ମିନିଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ କିଛି ସମୟ ପରେ ଶିଶୁଟି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଥିଲା ।ଇଞ୍ଜେକ୍ସନ୍ ଏବଂ ଅମ୍ଳଜାନ ଦେବା ପରେ ଶିଶୁଟି ଠିକ୍ ହୋଇଥିଲା । ଫ୍ଲାଇଟରେ ଡାକ୍ତରଙ୍କ ଚିକିତ୍ସା ଶିଶୁର ଜୀବନ ବଞ୍ଚେଇଲା । ଫ୍ଲାଇଟରେ ଚିକିତ୍ସା ପାଇଁ କିଛି ସାମଗ୍ରୀ ନ ଥିବା ସତ୍ତ୍ୱେ ଡାକ୍ତର ଶିଶୁର ଜୀବନ ବଞ୍ଚେଇବାକୁ ସଫଳ ହୋଇଥିଲେ । ଫ୍ଲାଇଟରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଡାକ୍ତରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶୁଭେଚ୍ଛା ଜଣାଇଥିଲେ ।
ଆଗକୁ ପଢ଼ନ୍ତୁ : ଏୟାରଲାଇନ୍ସ ଜେଟ୍ ଏୟାରୱେଜ ପୁଣି ଥରେ ଆକାଶକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି