ପହଲଗାମ: ଜମ୍ମୁ-କାଶ୍ମୀରର ପହଲଗାମରେ ମଙ୍ଗଳବାର ପର୍ଯ୍ୟଟକଙ୍କ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୪ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ସାମିଲ। ଏହି ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣାର ଦୃଶ୍ୟ ସଂପର୍କରେ ବଖାଣିଛନ୍ତି।
ମହିଳା ଜଣକ କହିଛନ୍ତି, ଏହି ଆକ୍ରମଣ ସେହି ସମୟରେ ଘଟିଛି ଯେତେବେଳେ ଜଣେ ମହିଳା ନିଜ ସ୍ଵାମୀଙ୍କ ସହ ଭେଲପୁରୀ ଖାଉଥିଲେ। ଆତଙ୍କବାଦୀ ଜଣକ ପାଖକୁ ଆସି ପ୍ରଶ୍ନ ପଚାରିଲା ଏବଂ ଉତ୍ତର ନ ଶୁଣିବା ପୂର୍ବରୁ ଗୁଳିମାଡ଼ କରିଥିଲା। ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଯେଉଁ ବ୍ୟକ୍ତିଙ୍କୁ ଗୁଳି କରାଯାଇଛି ତାଙ୍କ ପତ୍ନୀ ଲୋକଙ୍କୁ ନିଜ ସ୍ଵାମୀର ଜୀବନ ବଞ୍ଚାଇବାକୁ ଗୁହାରି କରୁଛନ୍ତି। ଏହି ଭିଡିଓ ସଭିଙ୍କୁ ବିଚଳିତ କରିଛି।
ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ମୃତକଙ୍କ ସଂଖ୍ୟା କେତେ ତାର ସନ୍ଧାନ କରାଯାଉଛି। ବିଗତ କିଛି ବର୍ଷରେ ଘଟିଥିବା ଆତଙ୍କବାଦୀ ଆକ୍ରମଣଠୁ ଏହା ବହୁତ ବଡ଼। ଆକ୍ରମଣ ଅପରାହ୍ଣ ପ୍ରାୟ ୩ଟାରେ ଘଟିଛି। ଆତଙ୍କବାଦୀ ବେସରନ ଘାଟିରେ ପାହାଡ଼ରୁ ତଳକୁ ଖସି ସେଠାରେ ଥିବା ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଛନ୍ତି। ଏହି ସ୍ଥାନକୁ ମିନି ସ୍ଵିଜରଲାଣ୍ଡ କୁହାଯାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆକ୍ରମଣ ଘଟିଥିବା ସ୍ଥାନର ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଅନେକ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ମିଳିଛି। ଜଣେ ମହିଳା ପର୍ଯ୍ୟଟକ କାନ୍ଦି କାନ୍ଦି ନିଜ ପରିଜନଙ୍କୁ ଖୋଜୁଥିବା ଦେଖିବାକୁ ମିଳିଛି। ଆତଙ୍କୀ ସଂଗଠନ TRF ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆତଙ୍କ ସଂଗଠନ ଲସ୍କର-ଏ-ତୋଏବା ସହ ଜଡ଼ିତ ।
ଏହାରି ଭିତରି ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ମାମଲାରେ କଠୋର ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ କହିଛନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଘଟଣାସ୍ଥଳ ଯିବା ପାଇଁ ପିଏମ୍ ନିର୍ଦ୍ଦେଶ ଦେଇଛନ୍ତି । ଅମିତ୍ ଶାହ ଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକ ସାରି ଜାମ୍ମୁ କାଶ୍ମୀର ଅଭିମୁଖେ ଯାତ୍ରା କରିଛନ୍ତି ।