ରାଞ୍ଚି: ସବୁ ବାଂଲାଦେଶୀଙ୍କୁ ରାଜ୍ୟରୁ ବିଦା କରାଯିବ । କ୍ଷମତାକୁ ଆସିଲେ ଆଦିବାସୀ ଜମି ହଡ଼ପ ହେବାକୁ ଦିଆଯିବନି। ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଚାର ବେଳେ ଏମିତି ଘୋଷଣା କରିିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ର୍ୟୀ ଅଧ୍ୟକ୍ଷ ଜେପି ନଡ୍ଡା। ଶନିବାର ପାଲାମୁ ଜିଲ୍ଲା ବିଶ୍ରାମପୁରରେ ଏକ ରାଲିକୁ ସମ୍ବୋଧନ କରି ନଡ୍ଡା ଏହା କହିଛନ୍ତି।
ନଡ୍ଡା କହିଛନ୍ତି “ ଜଣେ ଜଣେ ବାଂଲାଦେଶୀଙ୍କୁ ଝାଡ଼ଖଣ୍ଡ ମାଟିରୁ ବାହାର କରାଯିବ। ଯେଉଁଭଳି ଭାବେ ଆଦିବାସୀ ଭଉଣୀଙ୍କୁ ବାଂଲାଦେଶୀ ବିବାହ କରି ସେମାନଙ୍କର ଜମି ହଡ଼ପ କରିବାକୁ ଚାହୁଁଛନ୍ତି ସେମାନଙ୍କ ପିଲାମାନଙ୍କୁ କୌଣସି ବି ଆଦିବାସୀ ଅଧିକାର ଦିଆଯିବ ନାହିଁ। ” ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବାଂଲାଦେଶୀଙ୍କୁ ରାଜ୍ୟରେ ଶରଣ ଦେଉଥିବା ଅଭିଯୋଗ କରିଛନ୍ତି ଜେପି ନଡ୍ଡା।
ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ସହିତ ଦୁର୍ନୀତିଗ୍ରସ୍ତ ଓ ଚୋରମାନଙ୍କର ସମ୍ପର୍କ ରହିଛି। ତେଣୁ ରାଜ୍ୟରେ ସିଙ୍ଗଲ ଇଞ୍ଜିନ ସରକାରକୁ ହଟାଇ ଡବଲ ଇଞ୍ଜିନ ଆଣ ବୋଲି ନଡ୍ଡା ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି। ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ହେମନ୍ତ ସୋରେନ୍ଙ୍କ ଉପରେ ବାଂଲାଦେଶୀଙ୍କୁ ଶରଣ ଦେଉଥିବା ଅଭିଯୋଗ କରିଥିଲେ। ରାଜ୍ୟରୁ ବାଂଲାଦେଶୀଙ୍କୁ ବିଦା କରାଯିବ ବୋଲି ଶାହ କହିଥିଲେ ।
ସୂଚନାଯୋଗ୍ୟ, ୮୧ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନଭେମ୍ବର ୧୩ ଏବଂ ନଭେମ୍ବର ୨୦ ରେ ଦୁଇଟି ପର୍ଯ୍ୟାୟରେ ହେବ। ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣତି କରାଯିବ। ଜେଏମଏମ ଓ କଂଗ୍ରେସର ଇଣ୍ଡିଆ ମେଣ୍ଟ ଓ ବିଜେପି ମଧ୍ୟରେ ସିଧାସଳଖ ମୁକାବିଲା ହେବାକୁ ଯାଉଛି । ବର୍ତ୍ତମାନ ରାଜ୍ୟରେ ଜେଏମଏମ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସରକାର ରହିଛି ।