ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗୋରଖପୁର-ଲକ୍ଷ୍ନୌ ଚାରି ଲେନ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ୍ ଏବଂ କାର ମଧ୍ୟରେ ଭୟଙ୍କର ଧକ୍କା ହେବା ଦ୍ୱାରା ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ପ୍ରକାଶିତ ଖବର ଅନୁଯାୟୀ, କାରଟି ଉତ୍ତରାଖଣ୍ଡରୁ ଆସି ଗୋରଖପୁର ଅଭିମୁଖେ ଯାଉଥିଲା । ନଗର ଥାନା ଅଞ୍ଚଳ ଅନ୍ତର୍ଗତ ଗୋଟୱା ବଜାରରେ କାରଟି ଦ୍ରୁତ ଗତିରେ ଯାଉଥିବାବେଳେ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ କାରରେ ଥିବା ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ବିଶ୍ୱଜିତ, ପ୍ରେମଚାନ୍ଦ, ଶକିଲ, ଶିବରାଜ ଏବଂ ବହୋରନ । ସମସ୍ତେ ଗୋରଖପୁର ବାସିନ୍ଦା ଅଟନ୍ତି । ସେହିପରି ଆହତମାନେ ହେଲେ ଗୋପାଳଗଞ୍ଜ ଜିଲ୍ଲାର କାତ୍ୟା ଥାନା ଅଞ୍ଚଳର ବାସିନ୍ଦା ଉମା ଯାଦବଙ୍କ ପୁଅ ଚାଙ୍ଗୁର ଯାଦବ, ବିହାରର ଗୋପାଳଗଞ୍ଜ ଜିଲ୍ଲାର ବିଜୟପୁର ଥାନା କାଜିଡିହ ମହୁଭାର ବାସିନ୍ଦା ଶମ୍ଭୁ ପ୍ରସାଦଙ୍କ ପୁଅ ଭୂଆଲ ଏବଂ ଗୋରଖପୁରର ଖୋରାବର ଥାନା ତରକୁଲି ଜାସୋପୁରର ବାସିନ୍ଦା ସୂର୍ୟ୍ୟନାଥଙ୍କ ପୁଅ ଅନିରୁଦ୍ଧ ଅନ୍ତର୍ଭୁକ୍ତ। ସୋମବାର ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ହେକ୍ସା କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖାଯାଇଛି ।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ ରବିଶ ଗୁପ୍ତା, ଏସପି ଅଭିନନ୍ଦନ, ଏଏସପି ଓପି ସିଂହ, ସିଓ କଲୱାରୀ ପ୍ରଦୀପ ତ୍ରିପାଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଭୟଙ୍କର ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ଲୋକମାନେ ରଡ୍ ସାହାଯ୍ୟରେ କାରକୁ ଭାଙ୍ଗି ଆହତମାନଙ୍କୁ ବାହାର କରିଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ଯୋଗୁଁ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବହୁ ସଂଖ୍ୟାରେ ବସ୍ ଟ୍ରକ୍ ରାସ୍ତା ଉପରେ ଅଟକି ରହିଥିବା ଦେଖିବାକୁ ମିଳିଛି । କ୍ରେନ୍ ସାହାଯ୍ୟରେ କାରକୁ ରାସ୍ତାରୁ ହଟାଇବା ପରେ ରାସ୍ତା ଜାମ୍ କମିଥିଲା ।
ଏଏସପି ଓପି ସିଂହ କହିଛନ୍ତି ଯେ କାରରେ ଥିବା ଲୋକମାନେ ସମସ୍ତେ ଗୋରଖପୁରର ବାସିନ୍ଦା । ଯେଉଁମାନେ ଗୁଜୁରାଟର ଅହମ୍ମଦାବାଦରୁ ଗୋରଖପୁର ଆସୁଥିଲେ । ଟ୍ରକଟି ରାଜପଥରେ ଲେନ୍ ପରିବର୍ତ୍ତନ କରୁଥିବା ସମୟରେ ଡିଭାଇଡର୍ ନଥିବା ଯୋଗୁଁ ଏହା ସାମ୍ନାରୁ ଆସୁଥିବା କାର ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଗଲା।