ଖବର ଓଡ଼ିଶା: ସ୍ୱାଧୀନତା ଦିବସର ମାତ୍ର ଗୋଟାଏ ଦିନ ପୂର୍ବରୁ ଭାରତୀୟ ସେନାକୁ ଏକ ଶକ୍ତ ଝଟକା ଲାଗିଛି । ସୀମାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟବେଳେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି । ୪୮ ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାପଟେନ୍ ଦୀପକ ସିଂହ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି । ସେ ସେନା ହସ୍ପିଟାଲରେ ଚିକିସ୍ଚାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ସେନାର ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ବୁଧବାର ସକାଳୁ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ଡୋଡ଼ାର ଆସର ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲେ । ପାଟନିଟପ ପାହାଡ଼ ସମ୍ମୁଖ ଆସର ଗାଁ ନିକଟରେ ଅନେକ ଆତଙ୍କବାଦୀ ଗତିବିଧିକୁ ଲକ୍ଷ୍ୟ କରାଯାଇଥିଲା । ୪୮ ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାପଟେନ୍ ଦୀପକ ସିଂହ ସର୍ଚ୍ଚ ଅପରେସନର ନେତୃତ୍ୱ ନେଇଥିଲେ । ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ୪ ଆତଙ୍କବାଦୀ ଗୁରୁତର ହୋଇଥିଲେ ଏବଂ ପରେ ସେମାନଙ୍କର ମୃତ୍ୟୁ ହୋଇଛି । ଏଥିରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି ।
ଜଣେ ସେନା ଅଧିକାରୀଙ୍କୁ ସୂଚନା ମୁତାବକ, ଏଥିରେ କ୍ୟାପଟେନ୍ ଦୀପକଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ତଥାପି ସେ ନିଜର ସାଥୀମାନଙ୍କୁ ନିର୍ଦ୍ଦେଶ ଦେଇ ଚାଲିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେ ନିଜର ପ୍ରାଣ ତ୍ୟାଗ କରିଛନ୍ତି । କ୍ୟାପଟେନ୍ ଦୀପକ ସିଂହ ସେନା ଅଧିକାରୀ ସହ ଜଣେ ଭଲ ହକି ଖେଳାଳୀ ମଧ୍ୟ ଥିଲେ । ସେ ୪୮ ରାଷ୍ଟ୍ରୀୟ ରାଇଫଲ୍ସର ସିଗନାଲ ଅଫିସରଭାବେ କାର୍ଯ୍ୟ କରୁଥିଲେ । ସେ କ୍ୱିକ୍ ରିଆକ୍ସନ୍ ର ନେତୃତ୍ୱ ନେଉଥିଲେ । ତାଙ୍କୁ ସର୍ଚ୍ଚ ଅପରେସନ୍ ଟିମର ଫିଲ୍ଡ ମେଜର ଭାବେ ଦାୟିତ୍ୱ ମିଳିଥିଲା ।
ଏହି ଏନକାଉଣ୍ଟରରେ ଘଟଣାସ୍ଥଳରୁ ସେନା ଗୋଟିଏ ଏମ୪ ରାଇଫଲ ଓ ୩ଟି ରକ୍ସାକ ଜବତ କରିଛି । ଆତଙ୍କବାଦୀମାନେ ଆସରର ଏକ ନଦୀ ଅଞ୍ଚଳରେ ଲୁଚି ରହିଥିବା ଅନୁମାନ କରାଯାଉଛି । ଏବବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।