ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ଜାତୀୟ କ୍ରୀଡ଼ା ମହାକୁମ୍ଭ । ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ଉଦଘାଟିତ ହୋଇଯାଇଛି ୩୭ତମ ଜାତୀୟ କ୍ରୀଡ଼ା ଉତ୍ସବ | ଗୋଆର ମାର୍ଗାଓ ସ୍ଥିତ ଜବାହାରଲାଲ୍ ନେହେରୁ ଷ୍ଟାଡ଼ିୟମରେ ଏହି ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହୋଇଛି । ଗୋଆରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଜାତୀୟ କ୍ରୀଡ଼ା ଉତ୍ସବ। ଏହାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାଲିଠାରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭ ନଭେମ୍ବର ୯ ତାରିଖ ଯାଏଁ ଚାଲିବ ବୋଲି ସୂଚନା ରହିଛି ।ଏହି ଜାତୀୟ କ୍ରୀଡାକୁ ଦେଶର ଅଲିମ୍ପିକ୍ ଭାବେ ମଧ୍ୟ ପରିଗଣିତ କରାଯାଉଛି। ଏଥିଲାଗି ସମସ୍ତ କ୍ରୀଡାବିତ ଜୋରଦାର ପ୍ରସ୍ତୁତ କରିଛନ୍ତି ।
ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରୁ ୩ଶହରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା କ୍ରୀଡ଼ାବିତ ଅଛନ୍ତି। ଗୋଆର ୫ଟି ସହରରେ କ୍ରୀଡ଼ାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ମାପୁସା,ମାର୍ଗାଓ, ପଂଜିମ, ପୋଣ୍ଡା ଏବଂ ଭାସ୍କୋ ସହରରେ ଅନୁଷ୍ଠିତ ହେବ କ୍ରୀଡ଼ା । ଏଥିରେ ୧୦ ହଜାରରୁ ଅଧିକ କ୍ରୀଡ଼ାବିତ ସାମିଲ ହେବା ସମ୍ଭାବନା ରହିଛି । ମୋଟ ୪୩ଟି ଇଭେଣ୍ଟରେ ଖେଳାଳିମାନେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବେ। ଏହି ଉତ୍ସବରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ପ୍ରମୁଖ ଅତିଥି ଥିଲେ।
ଅଧିକ ପଢ଼ନ୍ତୁ : ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ