ଖବର ଓଡିଶା : 23/03/2023:
ବଲିଉଡର ପ୍ରସିଦ୍ଧ ଗାୟକ ହେଉଛନ୍ତି ସୋନୁ ନିଗମ | କିଛି ଦିନ ତଳେ ସୋନୁଙ୍କ ବାପା ଅଗମ କୁମାର ନିଗମଙ୍କ ଘରୁ 72 ଲକ୍ଷ ଟଙ୍କା ଚୋରି ହୋଇଥିବାର ମାମଲା ରୁଜୁ ହୋଇଛି | ଖବରାନୁଯାୟୀ, ସୋନୁଙ୍କ ପିତା ମୁମ୍ବାଇର ଓଶିୱାରାର ଆନ୍ଧେରୀ ଠାରେ ରୁହନ୍ତି | ଗତ ମାର୍ଚ୍ଚ 19 ତାରିଖରେ ଅଗମ କୁମାର ବର୍ସୋବାସ୍ଥିତ ତାଙ୍କ ଝିଅ ନିକିତାଙ୍କ ଘରକୁ ଖାଇବାକୁ ଯାଇଥିଲେ| ସେଠାରୁ ଆସି ଘରେ ଦେଖିଲା ବେଳକୁ ତାଙ୍କ ଡିଜିଟାଲ ଲକର ମଧ୍ୟରୁ 72 ଲକ୍ଷ ଟଙ୍କା ଗାୟବ| ଏ ବିଷୟରେ ସେ ତାଙ୍କ ଝିଅଙ୍କୁ ଜଣାଇଥିଲେ ଏବଂ ତାପରେ ମୁମ୍ବାଇ ଥାନାରେ ଯାଇ ଚୋରି ମାମଲା ରୁଜୁ କରିଥିଲେ | ଘରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ହେବାରୁ ଚୋରକୁ ଧରାଯାଇଛି |
ଅଭିଯୋଗ ଅନୁଯାୟୀ , ଚୋର ଜଣକ ହେଲେ ତାଙ୍କର ପୂର୍ବତନ ଡ୍ରାଇଭର | ତାର ନାମ ହେଉଛି ରେହାନ | ସେ ଆଗରୁ ସୋନୁଙ୍କ ଘରେ ପ୍ରାୟ 8 ମାସ ଧରି ଡ୍ରାଇଭରର କାମ କରୁଥିଲା | ପରେ କାମ ଠିକରେ ନକରିବାରୁ ସୋନୁଙ୍କ ବାପା ତାଙ୍କୁ କାମରୁ ବାହାର କରିଦେଇଥିଲେ | ଏହାପରେ ରେହାନ ତାଙ୍କ ଘରେ ପଶି ଟଙ୍କା ଚୋରି କରିଥିଲା | ଅଗମ ଙ୍କ କହିବା ଅନୁଯାୟୀ , ଚୋରି ମାର୍ଚ୍ଚ 19-20 ତାରିଖରେ ହୋଇଛି | ପ୍ରଥମେ 40 ଲକ୍ଷ ଓ ତାପରେ 32 ଲକ୍ଷ ଟଙ୍କା ଚୋରି ହୋଇଥିବା ସୋନୁଙ୍କ ବାପା କହିଛନ୍ତି | ଭାରତୀୟ ପେନାଲ କୋଡର ଧାରା 380,454,474 ଅନୁଯାୟୀ ଅଭିଯୁକ୍ତ ନାଁରେ ମୁମ୍ବାଇ ଥାନାରେ ଏକ FIR ପଞ୍ଜିକୃତ ହୋଇଛି |