ୱାଶିଂଟନ: ସୋସିଆଲ ମିଡିଆରେ କିଛିଦିନର ବାଦ-ବିବାଦ ପରେ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟବସାୟୀ ଏଲନ ମସ୍କଙ୍କ ସାର୍ବଜନୀନ କ୍ଷମା ପ୍ରାର୍ଥନା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ମସ୍କ ସ୍ୱୀକାର କରିଛନ୍ତି ଯେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ପ୍ରତି ତାଙ୍କର ସାମ୍ପ୍ରତିକ ସମାଲୋଚନା ‘ଅତ୍ୟଧିକ’ ହୋଇଯାଇଛି, ଏବଂ ସେ ଆଶା କରୁଛନ୍ତି ଯେ ଏକ ସପ୍ତାହ ଧରି ତୀବ୍ର ବ୍ୟକ୍ତିଗତ ଆକ୍ରମଣ ପରେ ତାଙ୍କ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଉତ୍ତେଜନା କମିଯିବ। ନ୍ୟୁୟର୍କ ପୋଷ୍ଟ ସହିତ ଏକ ଟେଲିଫୋନ୍ ସାକ୍ଷାତକାର ସମୟରେ ଟ୍ରମ୍ପ ମସ୍କଙ୍କ କ୍ଷମା ପ୍ରାର୍ଥନା ଉପରେ ମନ୍ତବ୍ୟ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ କଠୋର ଶବ୍ଦ ବ୍ୟବହାର କରାଯାଇଛି, କିନ୍ତୁ ତାଙ୍କ ହୃଦୟରେ କୌଣସି ତିକ୍ତତା ନାହିଁ।
ଟ୍ରମ୍ପ କହିଛନ୍ତି, 'ମୁଁ ଭାବୁଛି ସେ ଏହା କରି ଏକ ମହାନ କାମ କରିଛନ୍ତି। ମସ୍କ କ୍ଷମା ମାଗିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ 'ବିଗ୍ ବିୟୁଟିଫୁଲ୍ ବିଲ୍'ର ସମାଲୋଚନା ସହିତ ଆରମ୍ଭ ହୋଇଥିବା ବିବାଦ ପାଇଁ ସେ ମସ୍କଙ୍କୁ ଦାୟୀ କରନ୍ତି ନାହିଁ। ସେ 'ଟିକେ ନିରାଶ'।
ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ଏଲନ୍ ମସ୍କ ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତିଙ୍କୁ ସମାଲୋଚନା କରି ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରିଥିଲେ। ଯେତେବେଳେ ମସ୍କ ଟ୍ରମ୍ପଙ୍କ 'ବିଗ୍ ବିୟୁଟିଫୁଲ୍ ବିଲ୍' ଉପରେ ଆକ୍ରମଣ କରିଥିଲେ ସେତେବେଳେ ବିବାଦ ଆରମ୍ଭ ହୋଇଥିଲା। ଟ୍ରମ୍ପ ତାଙ୍କ ରାଜନୈତିକ ସଫଳତାରେ ମସ୍କଙ୍କ ଭୂମିକାକୁ କମ ଆକଳନ କରିଥିଲେ। ଜବାବରେ, ମସ୍କ ଦାବି କରିଥିଲେ ଯେ ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ବିଜୟ ମୁଖ୍ୟତଃ ତାଙ୍କ ସମର୍ଥନ ଯୋଗୁଁ ହୋଇଥିଲା। ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲୋନ୍ ମସ୍କ ଅଭିଯୋଗ କରିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ଜେଫ୍ରି ଏପ୍ଷ୍ଟାଇନ୍ ସହ ଜଡିତ ଡକ୍ୟୁମେଣ୍ଟ ପ୍ରକାଶନକୁ ରୋକିବାରେ ଭୂମିକା ଗ୍ରହଣ କରିଥିଲେ। ମସ୍କଙ୍କ ଅନୁଯାୟୀ ଏହି ଡକ୍ୟୁମେଣ୍ଟଗୁଡ଼ିକ ଏପ୍ଷ୍ଟାଇନ୍ ସହିତ ଟ୍ରମ୍ପଙ୍କ ଅତୀତ ସମ୍ପର୍କ ଉପରେ ଆଧାରିତ ଥିଲା, ତେଣୁ ସେଗୁଡ଼ିକୁ ସାର୍ବଜନୀନ କରିବାକୁ ଦିଆଯାଇ ନଥିଲା। ତଥାପି ମସ୍କ ପରେ ଏହି ପୋଷ୍ଟଗୁଡ଼ିକ ମଧ୍ୟରୁ କିଛି ଡିଲିଟ୍ କରିଦେଇ କ୍ଷମା ମାଗି କହିଥିଲେ, ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ମୋର କିଛି ପୋଷ୍ଟ ପାଇଁ ମୁଁ ଦୁଃଖିତ। ସେଗୁଡ଼ିକ ଅତ୍ୟଧିକ ଦୂରେଇ ଯାଇଥିଲା।
ଅଧିକ ପଢ଼ନ୍ତୁ: ଫାଷ୍ଟାଗ୍ କାମ ନକଲେ ଗାଡ଼ିର ନମ୍ବର ପ୍ଲେଟ୍ ପଢ଼ିବ ସିସିଟିଭି କ୍ୟାମେରା