ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପୂର୍ବାହ୍ଣରେ ବିମାନ ଦୁର୍ଘଟଣା ସମ୍ପର୍କରେ ଅହମ୍ମଦାବାଦ ବିମାନବନ୍ଦରରେ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଯୋଗ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅଧିକାରୀଙ୍କଠାରୁ ବିସ୍ତୃତ ରିପୋର୍ଟ ନେଉଛନ୍ତି ଏବଂ ପରବର୍ତ୍ତୀ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଉଛି।
ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଲା ପରେ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେଠାରେ ବିମାନର ଭଗ୍ନାବଶେଷ ଦେଖିଥିଲେ। ଦୁର୍ଘଟଣାର ଶିକାର ହୋଇଥିବା ଡାକ୍ତରଙ୍କ ହଷ୍ଟେଲ ମଧ୍ୟ ଅତି ନିକଟରୁ ଦେଖିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଗୁରୁତରଙ୍କୁ ଭେଟିଥିଲେ।
ଅହମଦାବାଦ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଆଜି ଅହମଦାବାଦରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛି। ଧ୍ୱଂସର ଦୃଶ୍ୟ ଦୁଃଖଦ। ଘଟଣା ପରେ ଅକ୍ଲାନ୍ତ ପରିଶ୍ରମ କରୁଥିବା ଅଧିକାରୀ ଏବଂ ଦଳଗୁଡ଼ିକୁ ଭେଟିଛି। ଏହି ଅକଳ୍ପନୀୟ ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ଆମର ସମବେଦନା ରହିଛି।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଡାକ୍ତରଖାନାରେ ଅନ୍ୟ ଆହତମାନଙ୍କ ସହିତ କଥା ହୋଇଛନ୍ତି, ଯେଉଁମାନେ ଡାକ୍ତରଙ୍କ ହଷ୍ଟେଲରେ ବିମାନ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିଲେ। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ଡାକ୍ତରଖାନାରେ ଗୁରୁତରମାନଙ୍କର ଚିକିତ୍ସାରେ ନିୟୋଜିତ ଡାକ୍ତରମାନଙ୍କ ସହିତ କଥା ହୋଇଛନ୍ତି। ଗୁରୁତରମାନଙ୍କୁ ଶୀଘ୍ର ଭଲ କରିବା ପାଇଁ ଯାହା ସବୁ ଦରକାର ସେଥିପାଇଁ ସରକାର ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ପ୍ରାୟ ୮ଟା ୩୦ରେ ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ଏହା ପୂର୍ବରୁ ବିମାନବନ୍ଦରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ବିଜେପି ସଭାପତି ସି.ଆର. ପାଟିଲ ଏବଂ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଗୁଜୁରାଟର ଅହମ୍ମଦାବାଦରେ ଗୁରୁବାର ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଏଯାଏଁ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି।
ଅଧିକ ପଢ଼ନ୍ତୁ: ଚିକିତ୍ସାଧୀନ ଗୁରୁତରଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ