ଅହମଦାବାଦ: ଗୁଜରାଟର ଅହମଦାବାଦରେ ଗତକାଲି ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ସେଠାକାର ସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି। ବିମାନ ଦୁର୍ଘଟଣାରୁ ବର୍ତ୍ତିଥିବା ଏକମାତ୍ର ଯାତ୍ରୀ ବିଶ୍ବାସ କୁମାର ରମେଶଙ୍କୁ ଭେଟିବା ସହ ତାଙ୍କ ସହିତ କଥା ହୋଇଛନ୍ତି। ରମେଶଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଡାକ୍ତରଖାନାରେ ଅନ୍ୟ ଆହତମାନଙ୍କ ସହିତ କଥା ହୋଇଛନ୍ତି, ଯେଉଁମାନେ ଡାକ୍ତରଙ୍କ ହଷ୍ଟେଲରେ ବିମାନ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିଲେ। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ଡାକ୍ତରଖାନାରେ ଗୁରୁତରମାନଙ୍କର ଚିକିତ୍ସାରେ ନିୟୋଜିତ ଡାକ୍ତରମାନଙ୍କ ସହିତ କଥା ହୋଇଛନ୍ତି। ଗୁରୁତରମାନଙ୍କୁ ଶୀଘ୍ର ଭଲ କରିବା ପାଇଁ ଯାହା ସବୁ ଦରକାର ସେଥିପାଇଁ ସରକାର ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ପରିବାରକୁ ମଧ୍ୟ ଭେଟିବେ, ଯିଏକି ଗତକାଲି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ପୂରା ଘଟଣାର ସମୀକ୍ଷା ପାଇଁ ଗୁଜରାଟ ସରକାର, କେନ୍ଦ୍ରମନ୍ତ୍ରୀ ଓ ଏୟାର ଇଣ୍ଡିଆର ଅଧିକାରୀଙ୍କ ସହିତ କଥା ହେବା ସହ ସମୀକ୍ଷା କରିବେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ପ୍ରାୟ ୮ଟା ୩୦ରେ ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ଏହା ପୂର୍ବରୁ ବିମାନବନ୍ଦରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ବିଜେପି ସଭାପତି ସି.ଆର. ପାଟିଲ ଏବଂ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ।
ଅହମଦାବାଦ ବିମାନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଦୁଃଖପ୍ରକାଶ କରି କହିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏନେଇ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ଏହା ଆମ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ ଓ ହୃଦୟ ବିଦାରକ। ସହଯୋଗ ପାଇଁ ମନ୍ତ୍ରୀ ଓ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି।
ସୂଚନାଯୋଗ୍ୟ ଗୁଜୁରାଟର ଅହମ୍ମଦାବାଦରେ ଗୁରୁବାର ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଏଯାଏଁ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି।
ଅଧିକ ପଢ଼ନ୍ତୁ: ମାତ୍ର ୧୦ ମିନିଟ୍ ବିଳମ୍ବ ଯୋଗୁଁ ଯାତ୍ରା କରିପାରିଲେନି ମହିଳା