ଯେରୁସେଲମ: ଇରାନ ବିରୁଦ୍ଧରେ ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲ ଏକ ସାମରିକ ଅଭିଯାନ ଆରମ୍ଭ କରିଛି, ଯାହା ରାଜଧାନୀ ତେହେରାନରେ ବିସ୍ଫୋରଣ ଦ୍ୱାରା ନିଶ୍ଚିତ ହୋଇଛି। ଇରାନର ସରକାରୀ ଗଣମାଧ୍ୟମ ମଧ୍ୟ ଏହି ବିସ୍ଫୋରଣଗୁଡ଼ିକୁ ନିଶ୍ଚିତ କରିଛି। ଇସ୍ରାଏଲ ଦାବି କରିଛି ଯେ ଇରାନର ପରମାଣୁ କାର୍ଯ୍ୟକ୍ରମ ତାଙ୍କ ପାଇଁ ବିପଦ ହୋଇପଡୁଥିଲା, ଯାହା ଯୋଗୁଁ ଏହି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଲା।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇ କହିଛନ୍ତି ଯେ ତାଙ୍କ ସେନା ଇରାନର ସେହି ପ୍ରମୁଖ ପରମାଣୁ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରିଛି, ଯେଉଁମାନେ କଥିତ ଭାବରେ ପରମାଣୁ ବୋମା ଉପରେ କାମ କରୁଥିଲେ। ଏହା ସହିତ ସେ ଦାବି କରିଛନ୍ତି ଯେ ଇସ୍ରାଏଲୀ ସେନା ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର କେନ୍ଦ୍ର ଉପରେ ମଧ୍ୟ ସଠିକ୍ ଆକ୍ରମଣ କରିଛି। ଇସ୍ରାଏଲ ଏହି ଅଭିଯାନକୁ 'ଷ୍ଟ୍ରେନ୍ଥ ଅଫ୍ ଏ ଲାୟନ୍' ନାମ ଦେଇଛି। ବିମାନ ଆକ୍ରମଣ ସମ୍ପର୍କରେ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ଇରାନର ବିପଦକୁ ଦୃଷ୍ଟିରେ ରଖି ଏହି ଅପରେସନ୍ ରାଇଜିଂ ଲାୟନ୍ ଆରମ୍ଭ କରାଯାଇଛି। ବିପଦ ଶେଷ ନହେବା ପର୍ଯ୍ୟନ୍ତ ଏହି ଲକ୍ଷ୍ୟବଦ୍ଧ ଅଭିଯାନ ଜାରି ରହିବ।
ଇରାନର ସାମରିକ ମୁଖ୍ୟାଳୟ, ଦୁଇଟି ପରମାଣୁ ସ୍ଥାନ, ଶୀର୍ଷ କମାଣ୍ଡର ଏବଂ ପରମାଣୁ ବୈଜ୍ଞାନିକମାନଙ୍କୁ ଟାର୍ଗେଟ କରାଯାଇଛି। ଇସ୍ରାଏଲ ଦାବି କରିଛି, ଇରାନର ସଶସ୍ତ୍ର ବାହିନୀ ମୁଖ୍ୟ ମହମ୍ମଦ ବାଘେରିଙ୍କୁ ହତ୍ୟା କରାଯାଇଛି। ସେହି ସମୟରେ, ଇରାନର ସରକାରୀ ଟିଭି ନିଶ୍ଚିତ କରିଛି ଯେ ଦୁଇଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଇସ୍ରାଏଲର ରାଜନୈତିକ ନେତୃତ୍ୱକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ଅଞ୍ଚଳରେ ଉତ୍ତେଜନା ଶୀର୍ଷରେ ରହିଛି ଏବଂ ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି।
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବର୍ଷ ବର୍ଷ ଧରି ଉତ୍ତେଜନା ରହିଛି। ଇସ୍ରାଏଲ ପୂର୍ବରୁ ଚେତାବନୀ ଦେଇଥିଲା ଯେ ଯଦି ଇରାନ ଅସ୍ତ୍ର ତିଆରି କରିବା ପାଇଁ ଯଥେଷ୍ଟ ୟୁରାନିୟମ ସମୃଦ୍ଧ କରିବା ଜାରି ରଖେ, ତେବେ ସେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଅନ୍ତର୍ଜାତୀୟ ପରୀକ୍ଷକମାନେ କହିଛନ୍ତି ଯେ ଇରାନର ୟୁରାନିୟମ ସମୃଦ୍ଧି କାର୍ଯ୍ୟ ଅସ୍ତ୍ର-ସ୍ତରରେ ପହଞ୍ଚିଛି।
ଅଧିକ ପଢ଼ନ୍ତୁ: ଆକ୍ରମଣ ସହିତ ଆମର କୌଣସି ସମ୍ପର୍କ ନାହିଁ