ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ କାରଣରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡା ଚେତାବନୀ ଦେବା ପରେ ଇସ୍ରାଏଲ ପୁଣି ଥରେ ଇରାନ ଉପରେ ହମଲା କରିବା ଆରମ୍ଭ କରି ଦେଇଛି । ଇରାନ ମିଡିଆ ଅନୁଯାୟୀ, ଇସ୍ରାଏଲ ସେନା ପୁଣି ଥରେ ଆଣବିକ କେନ୍ଦ୍ର ଉପରେ ହମଲା କରିଛନ୍ତି ।
ସୂଚନା ଅନୁଯାୟୀ, ଇସ୍ରାଏଲ ସିରାଜ ଓ ତବରିଜ ସହର ସହିତ ନନ୍ତାଜ ଆଣବିକ କେନ୍ଦ୍ର ଉପରେ ପୁଣି ଥରେ ହମଲା କରିଛି । ଏହା ପୂର୍ବରୁ ଇସ୍ରାଏଲ ସୈନ୍ୟ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫି ଡ୍ରେଫିନ କହିଛନ୍ତି ଯେ, ହମଲାରେ ଇରାନର ମୁଖ୍ୟ ଆଣବିକ କେନ୍ଦ୍ରର ବହୁତ କ୍ଷତି ଘଟିଛି । ଏବେ ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ଲମ୍ବା ଚାଲିପାରେ । ତାଙ୍କର ଏହି ବୟାନରୁ ସ୍ପଷ୍ଟ ଯେ, ଇସ୍ରାଏଲ ଏବେ ଆଉ ପଛଘୁଞ୍ଚା ଦେବନି ଏବଂ ଇରାନ ଉପରେ ଆହୁରି ହମଲା କରିବ ।
ଇସ୍ରାଏଲ ଶୁକ୍ରବାର ଭୋର ସକାଳେ ଇରାନର ଆଣବିକ କେନ୍ଦ୍ର ଓ ସୈନ୍ୟ ପରିସର ଉପରେ ହମଲା କରିବା ପାଇଁ ଅପରେସନ ରାଇଜିଂ ଲାୟନ ଆରମ୍ଭ କରିଛି । ଏହି ହମଲାରେ ଇରାନର ଅନେକ ସୈନ୍ୟ କମାଣ୍ଡର ଓ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି । ନେତନ୍ୟାହୁ କହିଛନ୍ତି, ଆମର ହମଲା ସଫଳ ରହିଛି । ଈଶ୍ୱରଙ୍କ ସାହାଯ୍ୟରେ ଆମେ ଆହୁରି ଅନେକ ଉପଲବ୍ଧି ହାସଲ କରିବାକୁ ଯାଉଛୁ ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ, ଆମେ ଇରାନର ଆଣିବକ କାର୍ଯ୍ୟକ୍ରମ କେନ୍ଦ୍ର ଉପରେ ହମଲା କରିଛୁ । ଏହି କେନ୍ଦ୍ରରେ ଆଣବିକ ପ୍ରକଳ୍ପରେ କାର୍ଯ୍ୟରତ ଇରାନର ପ୍ରମୁଖ ଆଣବିକ ବୈଜ୍ଞାନିକଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଆମେ ଇରାନର ବାଲାଷ୍ଟିକ ମିସାଇଲ ପ୍ରକଳ୍ପ ଉପରେ ମଧ୍ୟ ହମଲା କରିଛୁ । ଏଥିରେ ଇରାନର ପରମାଣୁ ଓ ମିସାଇଲ କାର୍ଯ୍ୟକ୍ରମର ଅସ୍ଥିତ୍ୱକୁ ଦୋହଲାଇ ଦେଇଥିବା ନେତନ୍ୟାହୁ କହିଛନ୍ତି ।