ଅହମଦାବାଦ: ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ରେ ଏପର୍ଯ୍ୟନ୍ତ ୨୬୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏହି ଭୟଙ୍କର ବିମାନ ଦୁର୍ଘଟଣା ସାରା ଦେଶକୁ ଥରାଇ ଦେଇଛି। ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ଆରବା ଗାଁର ୨୧ ବର୍ଷୀୟ ନବବିବାହିତା କନ୍ୟା ଖୁସ୍ବୁଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ଖୁସ୍ବୁ ତାଙ୍କ ବାପା ମଦନ ସିଂହ ଏବଂ ସମ୍ପର୍କୀୟ ଭାଇଙ୍କ ସହିତ ଲଣ୍ଡନ ଯିବା ପାଇଁ ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ, ଯେଉଁଠାରୁ ସେ ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଯୋଗେ ଲଣ୍ଡନ ଯିବାର ଥିଲା। କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେହି ମୁହୂର୍ତ୍ତରେ ଖୁସିବୁଙ୍କ ଜୀବନ ଶେଷ ହୋଇଗଲା।
ଖୁସ୍ବୁଙ୍କ ବାପା ବିମାନବନ୍ଦରରେ ତାଙ୍କ ଝିଅକୁ ବିଦାୟ ଦେବା ସମୟରେ ଏକ ଭାବପ୍ରବଣ ଫଟୋ ଉଠାଇଥିଲେ ଏବଂ ହ୍ୱାଟ୍ସଆପରେ ଏକ ଷ୍ଟାଟସ୍ ଦେଇଥିଲେ, ସେ ଲେଖିଥିଲେ 'ଆଶୀର୍ବାଦ ଖୁସ୍ବୁ, ଲଣ୍ଡନକୁ ଭଲରେ ପହଞ୍ଚିବୁ'। ଝିଅ ଯିବା ପରେ, ବାପା ଏବଂ ସମ୍ପର୍କୀୟ ଭାଇ ଗାଁକୁ ଯାଉଥିବା ସମୟରେ ଦୁର୍ଘଟଣାର ଖବର ସେମାନଙ୍କୁ ଭାଙ୍ଗି ପକାଇଥିଲା।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୧୮ ତାରିଖରେ ଖୁସ୍ବୁ ଯୋଧପୁର ଜିଲ୍ଲାର ଲୁନି ଖାରାବେରା ଗାଁର ବାସିନ୍ଦା ଡାକ୍ତର ବିପୁଲଙ୍କୁ ବିବାହ କରିଥିଲେ, ଯିଏ ଲଣ୍ଡନରେ ବସବାସ କରନ୍ତି। ବିବାହ ପରେ ବିପୁଲ ଲଣ୍ଡନ ଫେରିଗଲେ ଏବଂ ଖୁସ୍ ବୁ କିଛି ମାସ ପାଇଁ ତାଙ୍କ ପିତାମାତା ଏବଂ ଶ୍ୱଶୁର ଘରେ ରହିଲେ। ବର୍ତ୍ତମାନ ସେ ପ୍ରଥମ ଥର ପାଇଁ ଲଣ୍ଡନରେ ତାଙ୍କ ସ୍ୱାମୀଙ୍କ ପାଖକୁ ଯିବା ପାଇଁ ବିଦେଶ ଯାତ୍ରା କରୁଥିଲେ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ଯିବା ପୂର୍ବରୁ ଖୁସ୍ବୁଙ୍କ ଆଖିରେ ଲୁହ ଥିଲା। ସେ ତାଙ୍କ ମା'ଙ୍କୁ କୁଣ୍ଢେଇ କାନ୍ଦିଥିଲେ। ବାପା ମଦନ ସିଂହ ଗାଁରେ ଏକ ମିଠା ଦୋକାନ ଚଳନ୍ତି ଏବଂ ଚାଷ କରନ୍ତି। ଚାରୋଟି ପିଲାଙ୍କ ମଧ୍ୟରେ ଖୁସବୁ ବଡ଼ ଥିଲେ।
ତାଙ୍କର ଦୁଇଟି ସାନ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ଏହି ଦୁର୍ଘଟଣା ବାପାଙ୍କ ପାଇଁ ଦୁଃଖର ପାହାଡ଼ଠାରୁ କମ୍ ନୁହେଁ। ଏହି ଦୁର୍ଘଟଣା ନବବିବାହିତଙ୍କ ସ୍ୱପ୍ନକୁ ଭାଙ୍ଗିଦେଲା ଏବଂ ବାପାଙ୍କ ସଂସାରକୁ ନଷ୍ଟ କରିଦେଲା। ଘଟଣା ପରେ ଗାଁରେ ଶୋକର ଲହରୀ ଖେଳିଗଲା।
ଅଧିକ ପଢ଼ନ୍ତୁ: ବୋଇଂ ବିମାନର ଇତିହାସ ଦାଗୀ