ଚେନ୍ନାଇ: ରେଳ ଷ୍ଟେସନରେ ହିନ୍ଦୀରେ ଲେଖାଯାଇଥିବା ନାମ ଉପରେ କଳା ରଙ୍ଗ ପ୍ରୟୋଗ କରାଯାଇଛି ଏବଂ ରେଳବାଇ ଏତଲା ଦାୟର କରିଛି। ତାମିଲନାଡୁରେ ଭାଷା ବିବାଦ ମଧ୍ୟରେ ଶାସକ ଡିଏମକେ କେନ୍ଦ୍ର ସରକାରଙ୍କ ଉପରେ ହିନ୍ଦୀ ଲାଗୁ କରିଥିବା ଅଭିଯୋଗ କରୁଥିବା ବେଳେ ତାମିଲ ସମର୍ଥକମାନେ ରବିବାର ରାଜ୍ୟର ଦୁଇଟି ରେଳ ଷ୍ଟେସନରେ ନାମଫଳକରେ ହିନ୍ଦୀ ଶବ୍ଦ ଉପରେ କଳା ରଂଗ ବୋଳିଛନ୍ତି। ଏକ ଭାଇରାଲ ଭିଡିଓରେ ସାମାଜିକ କର୍ମୀମାନେ 'ପୋଲାଚି ଜଙ୍କସନ୍'ର ହିନ୍ଦୀ ନାମ କଳା କରୁଥିବା ଦେଖିବାକୁ ମିଳିଛି। ତେବେ ରେଳ ବାଇ କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ସୁଧାରିଥିଲେ। ଦକ୍ଷିଣ ରେଳବାଇର ପାଲକ୍କଡ ଡିଭିଜନ ସୋସିଆଲ ମିଡିଆରେ ରିପୋର୍ଟ କରିଛି ଯେ ରେଳ ସୁରକ୍ଷା ବଳ (ଆରପିଏଫ) ଦୋଷୀମାନଙ୍କୁ ଚିହ୍ନଟ କରିଛି ଏବଂ ସେମାନଙ୍କ ବିରୋଧରେ ରେଲୱେ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ।
ସୂଚନାଯୋଗ୍ୟ ଯେ ତିରୁନେଲଭେଲି ଜିଲ୍ଲାର ପାଲାୟାନକୋଟ୍ଟାଇ ରେଳ ଷ୍ଟେସନରେ ନାମବୋର୍ଡରେ ଲେଖାଯାଇଥିବା ହିନ୍ଦୀକୁ ଡିଏମକେ କର୍ମୀମାନେ କଳା କରିଥିଲେ। ଏହି ମାମଲାରେ ଆରପିଏଫ ୬ ଜଣ ଡିଏମକେ କର୍ମୀଙ୍କ ବିରୋଧରେ ରେଲୱେ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି। ତାମିଲନାଡୁର ଶାସକ ଦଳ ଡିଏମକେ ଦୀର୍ଘ ଦିନ ଧରି କେନ୍ଦ୍ର ସରକାର ଏବଂ ବିଜେପି ଉପରେ ହିନ୍ଦୀ ଲାଗୁ କରୁଥିବା ଅଭିଯୋଗ କରି ଆସୁଛି। ବିଶେଷ କରି ଜାତୀୟ ଶିକ୍ଷା ନୀତି (ଏନଇପି ୨୦୨୦)କୁ ନେଇ ଡିଏମକେ ଓ ବିଜେପି ମଧ୍ୟରେ ଜୋରଦାର ବିତର୍କ ଚାଲିଛି। ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଅଧିକ ପଢ଼ନ୍ତୁ: ପୋପ୍ ଫ୍ରାନ୍ସିସ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର