ପାଟନା: ବିହାରର ମସୌଢ଼ିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୭ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ନିୟନ୍ତ୍ରଣ ବାହାରେ ଥିବା ଭାରୀ ଯାନ ଓ ଏକ ଅଟୋ ରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅଟୋରେ ଥିବା ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଭାରୀ ଯାନଟି ଅଟୋକୁ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଅଟୋଟି ରାସ୍ତାଠାରୁ ପ୍ରାୟ ୧୦ ଫୁଟ୍ ତଳକୁ ଏକ ପାଣି ଭର୍ତ୍ତି ଗାତଭିତରକୁ ଖସି ପଡ଼ିଥିଲା।
ମସୌଢ଼ି-ପିଟମାସ ରାସ୍ତାର ନୁରା କାଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଭାରୀ ଗାଡିଟି ଦ୍ରୁତବେଗରେ ଯାଉଥିବା ବେଳେ ଚାଳକ ଗାଡ଼ି ଉପରେ ନିୟନ୍ତ୍ରଣ ହରାଇବାରୁ ଅଟୋ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଅଟୋଟି ସମ୍ପୂର୍ଣ୍ଣ ପାଣିରେ ବୁଡ଼ି ଯାଇଥିଲା।
ଫେବ୍ରୁଆରି ୨୩ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ମସୌଢ଼ି ଥାନା ଅନ୍ତର୍ଗତ ନୁରାଠାରେ ଥିବା ପୋଲ ନିକଟରେ ଏକ ଟ୍ରକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଖବର ମିଳିଥିଲା। ସଙ୍ଗେ ସଙ୍ଗେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।
ଦୁର୍ଘଟଣାରେ ଅଟୋ ଚାଳକ ଶତ୍ରୁଧନ ରାମ (୩୦), ଶିବନାଥ ବିନ୍ଦ (୪୦), ସନ୍ତୋଷୀ ବିନ୍ଦ (୪୦), ଭୁଲଟନ ବିନ୍ଦ (୩୦), ସୋମର ବିନ୍ଦ (୪୦) ଓ ମାଛରୁ ବିନ୍ଦ (୩୦)ଙ୍କ ପରିଚୟ ମିଳିପାରିଛି। ଅର୍ଜୁନ ଠାକୁର (୨୦)ଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସେପଟେ ପାଣିରେ ଟ୍ରକ୍ ତଳେ ଥିବା ଗଭୀର ଗାତରେ ଜଣେ ମୃତଦେହ ଫସି ରହିଥିବା ବେଳେ ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।
ଅଧିକ ପଢ଼ନ୍ତୁ: ରୁଷିଆକୁ ସମର୍ଥନ କରୁଥିବା ଲୋକଙ୍କ ପାଇଁ ବ୍ରିଟେନରେ 'ନୋ ଏଣ୍ଟ୍ରି'