ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସରକାରୀ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରି ୧୨ ଓ ୧୩ତାରିଖରେ ଆମେରିକା ଗସ୍ତରେ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ପରଦିନ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ବହୁ ପ୍ରତୀକ୍ଷିତ ବୈଠକ କରିବେ। ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ହେଉଛି ତାଙ୍କ ସହ ପ୍ରଥମ ସାକ୍ଷାତ।
ଭାରତୀୟ ସମ୍ପ୍ରଦାୟର ଜଣେ ସଦସ୍ୟ କହିଛନ୍ତି ଯେ ଆମେ ଏଠାକୁ ଆସି ବହୁତ ଉତ୍ସାହିତ। ଆମେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଆଗ୍ରହୀ। ଭାରତୀୟ ସମ୍ପଦାୟର ସଦସ୍ୟ ଅଲକା ବ୍ୟାସ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଣେ ପ୍ରଶଂସକ। ସେ ଆମ ଦେଶ ଓ ଭାରତ ପାଇଁ ଯାହା କରୁଛନ୍ତି ତାହାକୁ ସେ ପ୍ରକୃତରେ ପ୍ରଶଂସା କରୁଛନ୍ତି। ଆମେ ତାଙ୍କୁ ସମର୍ଥନ କରିବା ପାଇଁ ଏଠାକୁ ଆସିଛୁ।
ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାରେ ମୋଦୀ ହେଉଛନ୍ତି ଚତୁର୍ଥ ରାଷ୍ଟ୍ରମୁଖ୍ୟ। ଏହି ବୈଠକର ଗୁରୁତ୍ୱ ବଢିଯାଇଛି କାରଣ ସେହିଦିନ ରାଷ୍ଟ୍ରପତି ଟ୍ରମ୍ପ ବିଭିନ୍ନ ଦେଶରୁ ଆସୁଥିବା ଉତ୍ପାଦ ଉପରେ ଶୁଳ୍କ ଲଗାଇବାକୁ ଯାଉଛନ୍ତି। ଟ୍ରମ୍ପ ଭାରତୀୟ ଉତ୍ପାଦ ଉପରେ ମଧ୍ୟ ଅତିରିକ୍ତ ଶୁଳ୍କ ଲାଗୁ କରନ୍ତି କି ନାହିଁ ତାହା ଉପରେ ଉଭୟ ଭାରତ ସରକାର ଏବଂ ସ୍ଥାନୀୟ ବଜାର ତୀକ୍ଷ୍ଣ ନଜର ରଖିବେ। ଏଥର ମୋଦୀ ଓ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ବ୍ୟବସାୟିକ ପ୍ରସଙ୍ଗ ପ୍ରାଧାନ୍ୟ ପାଇବ ବୋଲି ନିଶ୍ଚିତ। ଆମେରିକା ସହ ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ପାଇଁ ଭାରତ ତରଫରୁ କିଛି ପଦକ୍ଷେପ ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି।
ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ମୋଦୀ ଆମେରିକାର କେତେକ କମ୍ପାନୀର ମୁଖ୍ୟଙ୍କୁ ଭେଟିବେ ଏବଂ ଏହାପରେ ଅପରାହ୍ନ ୪ଟାରେ (ୱାଶିଂଟନ ସମୟ) ଆମେରିକୀୟ ରାଷ୍ଟ୍ରପତିଙ୍କ ବାସଭବନ (ହ୍ୱାଇଟ୍ ହାଉସ୍)ରେ ପହଞ୍ଚିବେ। ସେଠାରେ ଟ୍ରମ୍ପଙ୍କ ସହ ଦୁଇ ପର୍ଯ୍ୟାୟ ବୈଠକ ହେବ। ଗୋଟିଏ ବୈଠକରେ ଅଧିକାରୀ ନଥିବା ବେଳେ ଅନ୍ୟଟିରେ ଉଭୟ ପକ୍ଷର ଅଧିକାରୀ ରହିବେ।
ଭାରତୀୟ ପ୍ରତିନିଧି ଦଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିସ୍ରି ଏବଂ ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ସାମିଲ ହେବେ। ପ୍ରଧାନମନ୍ତ୍ରୀ ଆମେରିକାରେ ଥିବା ଭାରତୀୟ ସମ୍ପ୍ରଦାୟ ସହ ମଧ୍ୟ ସାକ୍ଷାତ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପ ଭାରତ-ଆମେରିକା ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବେ।
ଅଧିକ ପଢ଼ନ୍ତୁ: ରୁଷ-ୟୁକ୍ରେନ ମଧ୍ୟରେ କେବେ ବନ୍ଦ ହେବ ଯୁଦ୍ଧ?