ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ବନ୍ଦ କରିବାକୁ ଅଣ୍ଟା ଭିଡିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି କ୍ରମରେ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବା ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ବନ୍ଦ କରିବା ପାଇଁ ତୁରନ୍ତ ବାର୍ତ୍ତା ଆରମ୍ଭ କରିବା ଉପରେ ଆଲୋଚନା କରିଛନ୍ତି । ଟ୍ରମ୍ପ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ, ସିଆଇଏ ନିର୍ଦ୍ଦେଶକ ଜନ ରେଟକ୍ଲିଫ, ଏନଏସଏ ମାଇକେଲ ୱାଲଟଜ ଓ ରାଜଦୂତ ଷ୍ଟିଭ ୱିଟକଫଙ୍କୁ ଆଲୋଚନାର ନେତୃତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଟ୍ରମ୍ପ ପୁଟିନ ଓ ଜେଲେନସ୍କିଙ୍କ ସହ ବାର୍ତ୍ତାଳପ କରିବା ପରେ ଆଶା କରାଯାଉଛି ଯେ, ଦୀର୍ଘ ସୟୟ ଧରି ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ଅନ୍ତ ଘଟିପାରେ । ଟ୍ରମ୍ପଙ୍କ ସହ ଆଲୋଚନା ପରେ ପୁଟିନ ଆମେରିକା ରାଷ୍ଟ୍ରପତିଙ୍କୁ ମସ୍କୋ ଆସିବାକୁ ଆମନ୍ତ୍ରିତ କରିଛନ୍ତି ।
ଟ୍ରମ୍ପଙ୍କ ଆଲୋଚନା ବିଷୟରେ ଜେଲେନସ୍କି ସୂଚନା ଦେଇ ଏକ୍ସରେ ଲେଖିଛନ୍ତି ଯେ, ମୋର ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାର୍ଥକ ଆଲୋଚନା ହୋଇଛି । ଆମେ ଶାନ୍ତି ଓ ସହବସ୍ଥାନ ପାଇଁ ଲମ୍ବା ସମୟ ଧରି ଆଲୋଚନା କଲୁ । ଟିମସ୍ତରରେ ଏକାଠି କାମ କରିବା ଓ ୟୁକ୍ରେନର ପ୍ରଯୁକ୍ତିବିଦ୍ୟା ଜ୍ଞାନ କୌଶଳ ଉପରେ ଆଲୋଚନା କଲୁ । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି କୃତଜ୍ଞ ଯେ, ଆମେରିକା ଆମ ସହ ମିଶି କାମ କରି ପାରିବ । ଏହି ସମୟରେ ଦୁଇ ଦେଶର ରାଷ୍ଟ୍ରପତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ଏହା ପୂର୍ବରୁ ଟ୍ରମ୍ପ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି । ଦୁଇ ନେତା ୟୁକ୍ରେନରେ ଚାଲିଥିବା ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଶକ୍ତି, ଏଆଇ, ଡଲାର ସହିତ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଟ୍ରମ୍ପଙ୍କ ଆଲୋଚନା ଏକ ସକରାତ୍ମକ ଦିଗ ଆଡକୁ ନେଇ ଯିବ ବୋଲି ଆଶା କରାଯାଉଛି ।