ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ହ୍ୱାଇଟ୍ ହାଉସରେ ଟେସଲା ସିଇଓ ଏଲନ ମସ୍କଙ୍କୁ ଭେଟିବେ । ଉଭୟଙ୍କ ମଧ୍ୟରେଏହି ବୈଠକ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି କାରଣ ମସ୍କ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବ୍ୟକ୍ତି । ଏପରିକି ମସ୍କ ଟ୍ରମ୍ପଙ୍କ ବିଶ୍ୱସ୍ତ ପରାମର୍ଶଦାତା ଭାବେ ତାଙ୍କ ସହ ରହିଛନ୍ତି । ଉଭୟଙ୍କ ବୈଠକରୁ ଭାରତକୁ ଶସ୍ତାରେ ଇଣ୍ଟରନେଟ୍ ମିଳିବା ନେଇ ଆଶା କରାଯାଉଛି ।
ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଆମେରିକା ଗସ୍ତ ସମୟରେ ଅନେକ ନେତାଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ମାତ୍ର ଏଲନ ମସ୍କଙ୍କ ସହ ତାଙ୍କର ବୈଠକକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ବିଳମ୍ବିତ ରାତ୍ରିରେ ୱାଶିଂଟନ ପହଞ୍ଚିଥିଲେ ।
ପ୍ରଥମ ଥର ମୋଦୀ ଓ ମସ୍କଙ୍କ ମଧ୍ୟରେ ସାକ୍ଷାତ ହେବାକୁ ଯାଉନାହିଁ, ଏହା ପୂର୍ବରୁ ୨୦୧୫ରେ ପ୍ରଧାନମନ୍ତ୍ରୀ ସାନ ଜୋସରେ ଟେସଲା ଫ୍ୟାକ୍ଟ୍ରି ପରିଦର୍ଶନ କରିଥିଲେ । ଏହି ସମୟରେ ଖୋଦ୍ ମସ୍କ ତାଙ୍କୁ ଫ୍ୟାକ୍ଟ୍ରି ବୁଲାଇଥିଲେ । କିନ୍ତୁ ଏଥର ସାକ୍ଷାତକାର ଭିନ୍ନ ରହିଛି । ୨୦୧୫ରେ ମସ୍କ ଡେମୋକ୍ରାଟିକ ପାର୍ଟିର ସମର୍ଥକ ଥିଲେ । ମାତ୍ର ଏବେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରମୁଖ ପରାମର୍ଶଦାତା ଭାବେ କାମ କରୁଛନ୍ତି ।
ସୂଚନା ଅନୁଯାୟୀ, ଏହି ବୈଠକରେ ଟେସଲା ଓ ସ୍ପେସଏକ୍ସର ଭାରତରେ ସମ୍ଭାବନା ଉପରେ ଆଲୋଚନା ହୋଇପାରେ । ମସ୍କ ଏହା ପୂର୍ବରୁ ଭାରତରେ ଶସ୍ତାରେ ଇଲେକ୍ଟ୍ରିକ କାର ଲଞ୍ଚ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏବେ ବି ମସ୍କଙ୍କ ଏହି ରୁଚି ଅଛି କି ନାହିଁ । ଏହା ବାଦ୍ ମସ୍କ ଓ ମୋଦୀଙ୍କ ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି ଉପରେ ମଧ୍ୟ ଆଲୋଚନା ହୋଇପାରେ । ଷ୍ଟାରଲିଙ୍କ ଇଣ୍ଟରନେଟ୍ ଜରିଆରେ ଭାରତକୁ ମସ୍କ ଶସ୍ତା ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବେ ବୋଲି ଆଶା କରାଯାଉଛି ।