ବେଜିଂ: ନୂଆବର୍ଷ ପାଳନରେ ସମଗ୍ର ବିଶ୍ୱରେ ସମସ୍ତେ ଶାନ୍ତି ପାଇଁ ପ୍ରାର୍ଥନା କରୁଥିବା ବେଳେ ୨୦୨୪ ଭଳି ୨୦୨୫ରେ ଧମକ ଦେବାରୁ ଚୀନ୍ ବିଚ୍ୟୁତ ହୋଇନାହିଁ। ନୂଆବର୍ଷ ବାର୍ତ୍ତାରେ ତାଇଓ୍ଵାନକୁ ନେଇ ବଡ ବୟାନ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ। ତାଇୱାନ୍ ଷ୍ଟ୍ରେଟ୍ର ଉଭୟ ପାର୍ଶ୍ୱରେ ରହୁଥିବା ଆମେ ଚୀନ୍ ଗୋଟିଏ ପରିବାରର। ଆମ ମଧ୍ୟରେ ଥିବା ସମ୍ପର୍କର ବନ୍ଧନକୁ କେହି କେବେ ଭାଙ୍ଗି ପାରିବେ ନାହିଁ।
ଚୀନ୍ ତାଇଓ୍ଵାନକୁ ନିଜର ମୁଖ୍ୟ ଭୂମିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରେ ଏବଂ 'ଏକ ଚୀନ୍' ନୀତିକୁ ଅନୁସରଣ କରେ ଏବଂ ଏହାକୁ ନିଜର କୂଟନୈତିକ ପ୍ରାଥମିକତା ମଧ୍ୟରୁ ଗୋଟିଏ କରିଥାଏ। ସି ଜିନପିଙ୍ଗ ତାଙ୍କ ତୃତୀୟ କାର୍ଯ୍ୟକାଳରେ ତାଇୱାନକୁ ଚୀନ ସହ ପୁନଃ ମିଶ୍ରଣ କରିବାକୁ ପ୍ରାଥମିକତା ଦେଇଛନ୍ତି। ସେ ଏହାକୁ ତାଙ୍କର ପ୍ରମୁଖ ସାମରିକ ଏବଂ କୂଟନୈତିକ ରଣନୀତିର ଏକ ଅଂଶ ଭାବରେ ଦେଖୁଛନ୍ତି।
ନିଜ ଅଭିଭାଷଣରେ ଜିନପିଙ୍ଗ କହିଛନ୍ତି ଯେ ଚୀନ୍ ସକ୍ରିୟ ଭାବରେ ବିଶ୍ୱ ଶାସନ ସଂସ୍କାରକୁ ପ୍ରୋତ୍ସାହନ ଦେଉଛି ଏବଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ। 'ଗ୍ଲୋବାଲ୍ ସାଉଥ୍'ର ଦେଶମାନଙ୍କ ସହ ସହଯୋଗ ଓ ଏକତା ସୁଦୃଢ଼ କରିବା ପାଇଁ ସେ କହିଥିଲେ। ପରିବର୍ତ୍ତନ ଏବଂ ଅସ୍ଥିରତାରେ ପରିପୂର୍ଣ୍ଣ ବିଶ୍ୱରେ ଚୀନ୍ ଏକ ଦାୟିତ୍ୱବାନ ଦେଶ ଭାବରେ ବିଶ୍ୱସମସ୍ୟାର ସମାଧାନ ଖୋଜିବାରେ ଅବଦାନ ଦେଉଛି ବୋଲି ଜିନପିଙ୍ଗ କହିଛନ୍ତି।
ନୂଆବର୍ଷ ବାର୍ତ୍ତାରେ ଜିନପିଙ୍ଗଙ୍କ ଆଉ ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅର୍ଥନୀତି ବିଷୟରେ ଜନସାଧାରଣଙ୍କୁ ଆଶ୍ୱସ୍ତ କରିବା । କୋଭିଡ୍-୧୯ ମହାମାରୀ ପରେ ଚୀନ୍ର ଅର୍ଥନୀତିରେ ହ୍ରାସ ଦେଖିବାକୁ ମିଳିଥିଲା, ଯେଉଁଥିରେ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ପତନ ଏବଂ ବ୍ୟାପକ ବେକାରୀ ମୁଖ୍ୟ କାରଣ ଥିଲା। ୨୦୨୪ ରେ ଚୀନର ମୋଟ ଘରୋଇ ଉତ୍ପାଦ (ଜିଡିପି) ୧୩୦ ଟ୍ରିଲିୟନ ୟୁଆନ୍ (ପ୍ରାୟ ୧୮.୦୮ ଟ୍ରିଲିୟନ ଆମେରିକୀୟ ଡଲାର)ରେ ପହଞ୍ଚିବ ବୋଲି ଜିନ୍ ପିଙ୍ଗ୍ କହିଛନ୍ତି। ସେହିପରି ଖାଦ୍ୟଶସ୍ୟ ଉତ୍ପାଦନ ୭୦୦ ନିୟୁତ ଟନ୍ ଅତିକ୍ରମ କରିଛି। ସେ ଇଲେକ୍ଟ୍ରିକ୍ ଯାନର ରପ୍ତାନି ବୃଦ୍ଧି ବିଷୟରେ ମଧ୍ୟ କହିଥିଲେ, ଯଦିଓ ଆମେରିକା ଏବଂ ୟୁରୋପୀୟ ସଂଘ ଦ୍ୱାରା ଲାଗୁ କରାଯାଇଥିବା ଆମଦାନୀ ଶୁଳ୍କ ଏଥିରେ ବାଧା ସୃଷ୍ଟି କରୁଛି।
ଅଧିକ ପଢ଼ନ୍ତୁ: ସହଜ ହେବ ଗଙ୍ଗାସାଗର ତୀର୍ଥଯାତ୍ରା