ବେରୁତ: ଲେବନାନରେ ଇସ୍ରାଏଲ ସେନାର ଆକ୍ରମଣ ଜାରି ରହିଛି। ଇସ୍ରାଏଲ ସେନା ଲେବାନନର ରାଜଧାନୀ ବେରୁତ ନିକଟସ୍ଥ ଏକ ଗାଁରେ ବୁଧବାର ବୋମାମାଡ଼ କରିଛି, ଯେଉଁଥିରେ ୭ ଜଣ ଶିଶୁଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇସ୍ରାଏଲ ଲେବାନନର ବେରୁତର ଉତ୍ତରରେ ଅବସ୍ଥିତ ଅଲମାତ୍ ଗ୍ରାମ ଉପରେ ଏହି ଆକ୍ରମଣ କରିଥିଲା। ଇସ୍ରାଏଲ ଆକ୍ରମଣରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି।
ଏହି ଆକ୍ରମଣ ପରେ ଲେବନାନ ସରକାର ଅଭିଯୋଗ କରିଛନ୍ତି ଯେ ଇସ୍ରାଏଲ ଏବେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି। ଆକ୍ରମଣର ଶିକାର ହୋଇଥିବା ଗାଁରେ ହିଜବୁଲ୍ଲାର କୌଣସି ଆଶ୍ରୟସ୍ଥଳ ନଥିଲା କି ଏହାର କୌଣସି ସଦସ୍ୟ ଏଠାରେ ରହୁନଥିଲେ। ଏହି ଗାଁରେ ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ଲୋକ ସାଧାରଣ ଲୋକ ଥିଲେ । ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଯେ ହିଜବୁଲ୍ଲାର ଘାଟିକୁ ଟାର୍ଗେଟ କରି ଏହି ଆକ୍ରମଣ କରିଛି।
ଏହା ପୂର୍ବରୁ ନଭେମ୍ବର ୯ ଓ ନଭେମ୍ବର ୧୦ରେ ଇସ୍ରାଏଲ ବାୟୁସେନା ମଧ୍ୟ ଲେବାନନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଦକ୍ଷିଣ ଓ ପୂର୍ବ ଲେବାନନର ଅଲଗା ଅଲଗା ଅଂଚଳରେ ଏହି ଆକ୍ରମଣ ହୋଇଛି । ଏହାବ୍ୟତୀତ ଇସ୍ରାଏଲର ବିମାନ ରାଜଧାନୀ ବେରୁତରୁ ବନ୍ଦର ସହର ଟାୟାର ପର୍ଯ୍ୟନ୍ତ ହିଜବୁଲ୍ଲା ସ୍ଥାନକୁ ଟାର୍ଗେଟ କରିଥିଲା।
ସୋର ସିଟିରେ ଇସ୍ରାଏଲର ଆକ୍ରମଣରେ ୭ ଜଣ ଲେବନାନର ମୃତ୍ୟୁ ଘଟିଥିବା ବେଳେ ୪୬ରୁ ଅଧିକ ଆହତ ହୋଇଥିବା ଲେବନାନ ଗଣମାଧ୍ୟମ ରିପୋର୍ଟ କରିଛି। ମୃତକଙ୍କ ମଧ୍ୟରେ ୫ ଭାଇ ଭଉଣୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ୩ ଜଣ ବଧିର ଓ ମୂକ ଥିଲେ।
ଅନ୍ୟପକ୍ଷରେ ଏହି ଆକ୍ରମଣରେ କ୍ରୋଧିତ ହୋଇ ହିଜବୁଲ୍ଲା ଇସ୍ରାଏଲ ସୀମାରେ ଡଜନାଧିକ ରକେଟ୍ ମାଡ଼ କରିଛି। ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହାପରେ ଇସ୍ରାଏଲ ହମାସ ଓ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ସେବେଠାରୁ ସେ ଉଭୟଙ୍କ ସହ ଯୁଦ୍ଧ କରି ଆସୁଛନ୍ତି। ସେମାନଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ ଗାଜା ଷ୍ଟ୍ରିପ୍ ବ୍ୟତୀତ ଲେବାନନ ଉପରେ ଲଗାତାର ଆକ୍ରମଣ କରୁଛି। ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ୩୧୦୦ରୁ ଅଧିକ ଲେବନାନ ପ୍ରାଣ ହରାଇଥିବା ବେଳେ ୧୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: କାନାଡାରେ ଖଲିସ୍ତାନୀଙ୍କ ମୁଣ୍ଡରେ ପାକିସ୍ତାନର ହାତ