ଦୁବାଇ: ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାଜୟ ପରେ ଦୁଃଖିତ ଭାରତକୁ ମହିଳା ଟି-୨୦ ବିଶ୍ୱକପ୍ରେ ଅଭିଯାନକୁ ଟ୍ରାକ୍କୁ ଫେରାଇ ଆଣିବାକୁ ହେଲେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଟିମ୍ କମ୍ବିନେସନ୍ରେ ଥିବା ତ୍ରୁଟିକୁ ଦୂର କରିବାକୁ ପଡ଼ିବ। ଭାରତୀୟ ଦଳ ଶୁକ୍ରବାର ନିଜର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ୫୮ ରନ୍ରେ ପରାସ୍ତ ହୋଇ ସେମିଫାଇନାଲ୍ରେ ପ୍ରବେଶ କରିବା ଆଶାକୁ ଝଟକା ଦେଇଛି ଏବଂ ଏହା ସେମାନଙ୍କ ପାଇଁ ଆଗକୁ ସମସ୍ତ ମ୍ୟାଚ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କରିଛି।
ଭାରତର ନେଟ୍ ରନ୍ ରେଟ୍ ଭଲ ନୁହେଁ ଏବଂ ଏଥିପାଇଁ ସେମାନଙ୍କୁ ଏବେ ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଜିତିବାକୁ ପଡ଼ିବ। ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ର ତିନୋଟି ଯାକ ବିଭାଗରେ ଖରାପ ପ୍ରଦର୍ଶନ କରିଥିଲା। ଏବେ ତାଙ୍କ ପାଖରେ ସମୟ ନାହିଁ ଏବଂ ତାଙ୍କୁ ଯଥାଶୀଘ୍ର ନିଜର ଦୁର୍ବଳତାକୁ ଦୂର କରିବାକୁ ପଡ଼ିବ। ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ପାକିସ୍ତାନକୁ ଏବେ ସାମ୍ନା କରୁଥିବାରୁ ଏହି କାମ ସହଜ ନୁହେଁ।
ପିଚ୍ରେ ଆର୍ଦ୍ରତା ନଥିବାରୁ ଏବଂ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ମାନେ ସହଜରେ ଏହାର ମୁକାବିଲା କରିଥିବାରୁ ତିନି ଜଣ ଦ୍ରୁତବୋଲରଙ୍କ ସହ ଖେଳିବାକୁ ଭାରତର ନିଷ୍ପତ୍ତି ଠିକ୍ ସାବ୍ୟସ୍ତ ହୋଇନଥିଲା। ଏହି କାରଣରୁ ଭାରତ ନିଜର ଦ୍ରୁତ ବୋଲରମାନଙ୍କୁ ସମ୍ପୂର୍ଣ୍ଣ ଉପଯୋଗ କରିପାରିନଥିଲା, ଯାହାର ଉଦାହରଣ ହେଉଛନ୍ତି ପୂଜା ବସ୍ତ୍ରକର ଯିଏ କି ମାତ୍ର ଗୋଟିଏ ଓଭର ବୋଲିଂ କରିଥିଲେ। ତିନି ଜଣ ଦ୍ରୁତ ବୋଲରଙ୍କ ସହ ଖେଳିବା କାରଣରୁ ଭାରତକୁ ବାମହାତୀ ସ୍ପିନର ରାଧା ଯାଦବଙ୍କୁ ବାଦ୍ ଦେବାକୁ ପଡ଼ିଥିଲା ଏବଂ ମ୍ୟାଚ୍ ସମୟରେ ତାଙ୍କୁ ବହୁତ ମିସ୍ କରାଯାଇଥିଲା।
ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଭଲ ନଥିଲା। ତାଙ୍କ ଦଳର ସର୍ବୋଚ୍ଚ ସ୍କୋର ଥିଲା ୧୫ ରନ୍ ଯାହା ହରମନପ୍ରୀତ୍ କରିଥିଲେ। ତାଙ୍କ ବ୍ୟାଟିଂକୁ ସୁଦୃଢ଼ କରିବା ପାଇଁ ଭାରତ ଏବେ ଦୟାଲାନ ହେମଲତାଙ୍କୁ ଅନ୍ତିମ ୧୧ରେ ସାମିଲ କରିପାରେ।
ଅଧିକ ପଢ଼ନ୍ତୁ: ଟି-୨୦ ସିରିଜ୍ ପୂର୍ବରୁ ଭାରତକୁ ବଡ ଝଟକା