ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ଆହତଜନିତ ସମସ୍ୟା କାରଣରୁ ଟି-୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ଏହା ପରେ ବିସିସିଆଇ ଶନିବାର ତାଙ୍କ ବଦଳ ଖେଳାଳି ଭାବେ ତିଳକ ବର୍ମାଙ୍କୁ ଦଳରେ ସାମିଲ୍ କରିଛି। ଶିବମ ଦୁବେ ପିଠିରେ ଆଘାତ ଲାଗିଛି ।
ବିସିସିଆଇ ଅନୁଯାୟୀ, ଅଲରାଉଣ୍ଡର ଶିବମ ଦୁବେ ପିଠିରେ ଆଘାତ ଲାଗିବା କାରଣରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ଦଳରେ ଚୟନ କରିଛନ୍ତି ଚୟନକର୍ତ୍ତା । ତିଳକ ରବିବାର ସକାଳେ ଗ୍ଵାଲିୟରରେ ଦଳରେ ଯୋଗ ଦେବେ। ଏଠାରେ ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ।
ସୂରୟ୍ୟରେକୁମାର ଯାଦବ ଦଳର ନେତୃତ୍ଵ ନେଉଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ବରିଷ୍ଠ ଖେଳାଳିଙ୍କ ଉପରେ ଗୁରୁ ଦାୟିତ୍ଵ ରହିଛି। ଅନେକ ବରିଷ୍ଠ ଖେଳାଳିଙ୍କୁ ଦଳରେ ବିଶ୍ରାମ ଦିଆଯାଇଥିବାରୁ ଯୁବ ଖେଳାଳିଙ୍କୁ ନିଜକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ମିଳିଛି।
ଅଭିଷେକ ଜିମ୍ବାଓ୍ଵେ ବିପକ୍ଷ ସିରିଜ୍ରେ ଶତକ ଅର୍ଜନ କରି ନିଜର ସାମର୍ଥ୍ୟ ଦେଖାଇଛନ୍ତି। ଉଦୀୟମାନ ଦ୍ରୁତ ବୋଲର ମୟଙ୍କ ଯାଦବ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିବାକୁ ଯାଉଛନ୍ତି। ଆଇପିଏଲ୍ରେ ମୟଙ୍କ ଲଗାତାର ୧୫୦ କିମି ବେଗରେ ବୋଲିଂ କରି କ୍ରିକେଟ୍ ଜଗତରେ ଚହଳ ପକାଇଥିଲେ। ଏହି ସିରିଜରେ ତାଙ୍କ ଉପରେ ସଭିଙ୍କ ନଜର ରହିବ ।
ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ
ସୂର୍ଯକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ କୁମାର ରେଡ୍ଡୀ, ତିଳକ ବର୍ମା, ଓ୍ଵାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂ, ହର୍ଷିତ ରାଣା, ମୟଙ୍କ ଯାଦବ।