ପ୍ରତାପଗଡ଼: ପାରିବାରିକ କଳହର କରୁଣ ପରିଣତି ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ସଦର ଥାନାର ଭଦୋହି ଗାଁରେ ଦେଖିବାକୁ ମିଳିଛି। ଭଦୋହି ଗାଁରେ ଜଣେ ମା’ର ବର୍ବରତା ସୀମା ଟପିଛି। ମହିଳା ଜଣକ ସବୁ ମମତା ଭୁଲିଯାଇ ନିଜର ତିନି ସନ୍ତାନଙ୍କୁ ଫାଶୀରେ ଝୁଲାଇ ଦେଇଛି। ପିଶାଚୀ ମହିଳା ନିଜ ତିନି ପିଲାଙ୍କୁ ହତ୍ୟା କରିବା ପରେ ସେ ନିଜେ ଜୀବନ ହାରିଛି। ୪ ଜଣଙ୍କ ମୃତ୍ୟୁ ପରେ ପରିବାର ଓ ଗାଁରେ ଶୋକର ଛାୟା ଖେଳିଯାଇଛି। ଏହି ତିନୋଟି ସନ୍ତାନ ଏକକାଳୀନ ଜନ୍ମଗ୍ରହଣ କରିଥିଲେ। ସମସ୍ତଙ୍କ ବୟସ ଦେଢ଼ ବର୍ଷ ଥିଲା।
ଭଦୋହି ଗାଁର ରହୁଥିବା ସନ୍ଦୀପ କୁମାର ଗୌତମ ଶ୍ରମିକ ଭାବେ କାମ କରନ୍ତି। ସ୍ତ୍ରୀ ଓ ତିନି ସନ୍ତାନଙ୍କୁ ନେଇ ତାଙ୍କର ପରିବାର। ପାରିବାରିକ ସମସ୍ୟାକୁ ନେଇ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ଓରଫ କୋମଲ (୨୩)ଙ୍କୁ ସ୍ୱାମୀ ନିଶାସକ୍ତ ଅବସ୍ଥାରେ ମାଡ଼ ମାରିଥିଲେ। ଏହାପରେ ସମସ୍ତେ ଖାଇ ଶୋଇଥିଲେ।
ଗୌତମଙ୍କ ପରିବାର ଶୁକ୍ରବାର ରାତିରେ ଖାଇପିଇ ଶୋଇଥିଲେ। ସେମାନେ ଶନିବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କୋଠରୀ ନ ଖୋଲିବାରୁ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା। ଗାଁ ଲୋକେ ମଧ୍ୟ ଏକାଠି ହୋଇ ସକାଳ ୯ଟାରେ କବାଟ ଭାଙ୍ଗିଥିଲେ। ଘର ଭିତରେ କୋମଲ ଏବଂ ତାଙ୍କ ପୁଅ ରୌନକ ଶାଢ଼ିର ଫାଶୀରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ଦ୍ୱିତୀୟ ଫାଶୀରେ ଦୁଇ ଝିଅ ଉଜାଲା ଓ ଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଏହା ଦେଖି ଲୋକେ ସ୍ତମ୍ଭୀଭୂତ ହୋଇ ଯାଇଥିଲେ ଏବଂ ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଟି ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଇଛି। ଏସ୍ପି ଡାକ୍ତର ଅନିଲ କୁମାର କହିଛନ୍ତି ଯେ ଘରୋଇ କଳହ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ: ପ୍ରତାପଗଡ଼ରେ ୩ ନିରୀହ ପିଲାଙ୍କୁ ମାରି ଜୀବନ ହାରିଲେ ମା'