ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଗତ କିଛି ଦିନ ହେବ ସେଠାରେ ପାଗ ଧୂଆଁଳିଆ ଅନୁଭୂତ ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନୋଏଡା, ଫରିଦାବାଦ ଏବଂ ଗୁରୁଗ୍ରାମରେ ଘନ କୁହୁଡ଼ି ହେବ। ସେହିପରି କାଶ୍ମୀର ଓ ହିମାଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ହିମାଚଳର କେତେକ ସ୍ଥାନରେ ତାପମାତ୍ରା ମାଇନସ୍ ସ୍ତରକୁ ପହଞ୍ଚିଛି।
ସେହିପରି ତାମିଲନାଡୁ ଓ କେରଳରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ହରିୟାଣାର ହିସାର ସମତଳ ଅଞ୍ଚଳରେ ସବୁଠାରୁ ଥଣ୍ଡା ଥିଲା। ରାଜସ୍ଥାନର ୫ଟି ସହରର ତାପମାତ୍ରା ୪ ଡିଗ୍ରି ତଳେ ରେକର୍ଡ କରାଯାଇଛି।
କଶ୍ମୀରରେ ଜଳପ୍ରପାତ ମଧ୍ୟ ଜମା ହୋଇଯାଇଛି। ଶ୍ରୀନଗରରେ ବୁଧବାର ଋତୁର ସବୁଠାରୁ ଥଣ୍ଡା ରାତି ଅନୁଭୂତ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୬.୦ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ଏହା ସ୍ୱାଭାବିକଠାରୁ ୪ ଡିଗ୍ରୀ କମ୍ ରହିଛି। ଗତକାଲି ରାତିରେ ତାପମାତ୍ରା ମାଇନସ୍ ୪.୫ ଡିଗ୍ରୀ ସେଲସିୟସ ରହିଥିଲା। ସମଗ୍ର କଶ୍ମୀରରେ ପ୍ରବଳ ଶୀତ ଲହରୀ ଲାଗି ରହିଛି।
ସମଗ୍ର କଶ୍ମୀରରେ ରାତିର ତାପମାତ୍ରା ଥଣ୍ଡା ବିନ୍ଦୁଠାରୁ ଅନେକ ଡିଗ୍ରୀ ତଳକୁ ଖସିଆସିଛି। ଶ୍ରୀନଗର ସହରର ଅନେକ ସ୍ଥାନରେ କୁହୁଡ଼ିର ଗଭୀର ସ୍ତର ଦେଖିବାକୁ ମିଳିଥିଲା। ପ୍ରବଳ ଥଣ୍ଡା ଯୋଗୁଁ ପ୍ରସିଦ୍ଧ ଡାଲ ହ୍ରଦ ସମେତ ଜଳାଶୟ ଗୁଡ଼ିକ ଜମା ହୋଇଯାଇଛି। ପ୍ରବଳ ଥଣ୍ଡା ଯୋଗୁଁ ପାନୀୟ ଜଳ ଯୋଗାଣ ଲାଇନ ମଧ୍ୟ ଜମା ହୋଇଯାଇଥିଲା।
ଜାତୀୟ ରାଜଧାନୀରେ ଶୀତ ଲହରୀ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଶୁକ୍ରବାର ସକାଳ ସାଢ଼େ ୮ଟା ବେଳକୁ ସଫଦରଜଙ୍ଗ ଓ ରିଜ ଅଞ୍ଚଳରେ ତାପମାତ୍ରା ୧ ଡିଗ୍ରି ହ୍ରାସ ପାଇଥିଲା। ଆଗାମୀ ଦିନରେ ପାରଦ ମଧ୍ୟ ହ୍ରାସ ପାଇବ। ସେପଟେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ କୁହୁଡ଼ି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ହିମାଚଳ ପ୍ରଦେଶରେ ଶୀତ ଲହରୀ ଜାରି ରହିଛି। ଆଇଏମଡିର ସୂଚନା ଅନୁଯାୟୀ, ଡିସେମ୍ବର ୨୩ ରେ ଲାହୋଲ ସ୍ପିତି, କୁଲୁ ଏବଂ ଚମ୍ବାର ଉଚ୍ଚ ଶିଖରରେ ତୁଷାରପାତ ହୋଇପାରେ। ହମିରପୁର, ମଣ୍ଡି, ଉନା ଓ ବିଳାସପୁର ପାଇଁ ଅରେଞ୍ଜ ଆଲର୍ଟ ଏବଂ କୁଲୁ, ଚମ୍ବା ଓ କାଙ୍ଗରା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଅଧିକ ପଢ଼ନ୍ତୁ: ନେପାଳରେ ୪.୮ ତୀବ୍ରତାର ଭୂମିକମ୍ପ