ଜୟପୁର: ରାଜସ୍ଥାନର ଜୟପୁର-ଅଜମେର ରାଜପଥରେ ଶୁକ୍ରବାର ସକାଳୁ ଘଟିଥିବା ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏବେବି ପ୍ରାୟ ୩୦ ଜଣ ଆହତ ଓ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଗାଡି ଜଳି ଯାଇଛି।
ସୂଚନାଯୋଗ୍ୟ, ଜୟପୁର-ଅଜମେର ରାଜପଥରେ ଶୁକ୍ରବାର ଭୋର ପ୍ରାୟ ସାଢ଼େ ୫ଟା ବେଳେ ଏକ ଟ୍ରକ୍ ସିଏନ୍ଜି ବୋଝେଇ ଟ୍ରକ୍କୁ ଧକ୍କା ଦେଇଥିଲା। ଏହା ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଏହାର ସ୍ୱର ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଜଳିଯାଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଏହି ଘଟଣା ପରେ ଜୟପୁର ଜିଲ୍ଲାପାଳ ଜିତେନ୍ଦ୍ର କୁମାର ସୋନି ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଏହି ତଦନ୍ତ କମିଟିରେ ବିଭିନ୍ନ ବିଭାଗର ୬ ଜଣ ଅଧିକାରୀଙ୍କୁ ସାମିଲ କରାଯାଇଛି। ଜିଲ୍ଲାପାଳ କହିଛନ୍ତି ଯେ ଜୟପୁରର ଭାଙ୍କରୋଟାରେ ଏଲପିଜି ଟ୍ୟାଙ୍କର ଏବଂ ଟ୍ରକ ମଧ୍ୟରେ ହୋଇଥିବା ଦୁର୍ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ରାଜ୍ୟରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ସହ ବ୍ଲାକ୍ ସ୍ପଟ୍ ଠିକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସଡ଼କ ଦୁର୍ଘଟଣାର ସମ୍ଭାବ୍ୟ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଶୀଘ୍ର ସଂଶୋଧନ କରାଯାଉ, ଯାହାଦ୍ୱାରା ଯାନବାହନ ଦୁର୍ଘଟଣାଜନିତ ଜୀବନ ଓ ସମ୍ପତ୍ତି କ୍ଷୟକ୍ଷତିକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି। ଏହି ଅଭିଯାନ ସମୟରେ କାର୍ଯ୍ୟର ଗୁଣବତ୍ତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ପୁଲିସ ତଦନ୍ତରୁ ବଡ଼ ଖୁଲାସା; ୪୦୦ ଟଙ୍କା ପାଇଁ ହିଂସାକାଣ୍ଡ