ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ରେ ଜାରି ରହିଛି। ଏହି ମୁକାବିଲାର ଅନ୍ତିମ ଦିନରେ ସୋମବାର ଭାରତ ଦ୍ବିତୀୟ ପାଳିରେ ବ୍ୟାଟିଂ କରୁଛି। ଯଶସ୍ୱୀ ଜୟସ୍ୱାଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୨୯ ବଲରେ ୫୨ ରନ୍ କରିଛନ୍ତି। ଜୟସ୍ବାଲ ଏପର୍ଯ୍ୟନ୍ତ ୭ଟି ଚୌକା ମାରିସାରିଛନ୍ତି। ଋଷଭ ପନ୍ତ ୩୯ ବଲ୍ ରେ ଗୋଟିଏ ଚୌକା ସହ ୧୭ ରନ୍ କରିଛନ୍ତି। ଉଭୟଙ୍କ ମଧ୍ୟରେ ୫୩ ରନର ଭାଗିଦାରୀ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୯୫ ରନ୍ରେ ପହଞ୍ଚିଛି। ଭାରତକୁ ଜିତିବାକୁ ହେଲେ ୭ଟି ୱିକେଟ୍ରେ ୨୪୫ ରନ୍ କରିବାକୁ ପଡ଼ିବ। ହାତରେ ୪୮ ଓଭର ରହିଛି।
ଆରମ୍ଭରୁ ରୋହିତ ଶର୍ମାଙ୍କ ଟିମ୍ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଛି। ଦଳୀୟ ସ୍କୋର ୩୩ ରନ୍ରେ ଭାରତ ୩ଟି ମୂଲ୍ୟବାନ ୱିକେଟ୍ ହରାଇଛି। ପ୍ରଥମ ଅଧିବେଶନରେ ରୋହିତ ଶର୍ମା, କେଏଲ ରାହୁଲ ଓ ବିରାଟ କୋହଲି ଆଉଟ୍ ହୋଇଛନ୍ତି।
ରୋହିତ ଶର୍ମା ମାତ୍ର ୯ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ସେ ୪୦ଟି ବଲ୍ ସାମ୍ନା କରିଥିଲେ ମଧ୍ୟ ଗୋଟିଏ ଭଲ ସର୍ଟ ମାରିପାରି ନଥିଲେ। କେଏଲ୍ ରାହୁଲ ଖାତା ଖୋଲିପାରି ନଥିବା ବେଳେ ବିରାଟ କୋହଲି ମାତ୍ର ୫ ରନ୍ରେ ଆଉଟ୍ ହୋଇଥିଲେ। ପେଟ୍ କମିନ୍ସଙ୍କ ବଲ୍ରେ ରୋହିତ ଓ ରାହୁଲ ଆଉଟ୍ ହୋଇଥିଲେ। ବିରାଟଙ୍କୁ ମିଚେଲ ଷ୍ଟାର୍କ ଆଉଟ୍ କରିଥିଲେ।
ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୪୭୪ ରନ୍ରେ ଅଲଆଉଟ୍ ହୋଇଥିଲା, ଯାହାର ଜବାବରେ ଭାରତ ୩୬୯ ରନ୍ କରିଥିଲା। ଫଳରେ କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୧୦୫ ରନ୍ର ଅଗ୍ରଣୀ ହାସଲ କରିଥିଲା। ଦ୍ବିତୀୟ ପାଳିରେ କଙ୍ଗାରୁ ଦଳ ୨୩୪ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୪୦ ରନ୍ର ଲକ୍ଷ୍ୟ ମିଳିଛି।
ଅଧିକ ପଢ଼ନ୍ତୁ: ଏହି ଦେଶ ଚଲାଇଲା ବିଶ୍ୱର ଦ୍ରୁତତମଗାମୀ ଟ୍ରେନ୍