ରିୟାଦ: ସାଉଦି ଆରବ ୬ ଜଣ ଇରାନୀ ନାଗରିକଙ୍କୁ ଫାଶୀ ଦେଇଛି। ନୂଆବର୍ଷ ୨୦୨୪ର ପ୍ରଥମ ଦିନ ବୁଧବାର ସାଉଦି ପ୍ରେସ୍ ଏଜେନ୍ସି ଏହି ସୂଚନା ଦେଇଛି। ଏହି ଲୋକମାନେ ନିଶା କାରବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, ଯେଉଁଥିରେ ଅଦାଲତ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ପୂର୍ବ ପ୍ରଦେଶରେ ସେମାନଙ୍କୁ ଫାଶୀଦଣ୍ଡ ଦିଆଯାଇଥିଲା। ଏହି ଲୋକମାନେ ହସିସ୍ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ଗତ କିଛି ବର୍ଷ ମଧ୍ୟରେ ସାଉଦି ଆରବରେ ମୃତ୍ୟୁଦଣ୍ଡ ସଂଖ୍ୟା ବୃଦ୍ଧି ପାଇଛି। ଏଥିପାଇଁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ମାନବାଧିକାର ସଂଗଠନର ଟାର୍ଗେଟରେ ଅଛନ୍ତି। ସାଉଦିରେ ମୃତ୍ୟୁଦଣ୍ଡ ଅହେତୁକ ଭାବେ ବୃଦ୍ଧି ପାଉଥିବା ମାନବାଧିକାର ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି।
ସାଉଦି ମିଡିଆ ଅନୁଯାୟୀ, ସୁରକ୍ଷା ଅଧିକାରୀମାନେ ଏହି ଇରାନୀ ନାଗରିକଙ୍କୁ ଚୋରା ଚାଲାଣ କରୁଥିବା ବେଳେ ଗିରଫ କରିଥିଲେ। ଏହି ଲୋକମାନେ ସାଉଦିକୁ ହସିସ୍ ଔଷଧ ଆଣିଥିଲେ। ଏହାପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପ୍ରମାଣ ଆଧାରରେ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଏହା ବିରୋଧରେ ଏହି ଲୋକମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସେଠାରେ ମଧ୍ୟ ଏହି ନିଷ୍ପତ୍ତିକୁ ବଜାୟ ରଖିଥିଲେ। ଏହାପରେ ରାଜକୀୟ ଆଦେଶ କ୍ରମେ ଦଣ୍ଡ ବିଧାନ କରାଯାଇଥିଲା। ଏହାକୁ ନେଇ ଇରାନ ସାଉଦି ସରକାରଙ୍କୁ ତୀବ୍ର ବିରୋଧ କରିଛି।
ସାଉଦି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନାଗରିକ ଓ ବାସିନ୍ଦାଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଡ୍ରଗ୍ସ ହେଉଛି ଦେଶର ଏକ ପ୍ରମୁଖ ସମସ୍ୟା। ଆମେ ଆମ ଲୋକଙ୍କୁ ଡ୍ରଗ୍ସ ବିପଦରୁ ରକ୍ଷା କରିବୁ । ଚୋରା ଚାଲାଣକାରୀଙ୍କୁ ଆମେ ଛାଡିବୁ ନାହିଁ। ଚୋରା ଚାଲାଣକାରୀ ଓ ବେପାରୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ।
ସାଉଦି ଆରବକୁ ଡ୍ରଗ୍ସ ଚୋରା ଚାଲାଣ କଲେ ମୃତ୍ୟୁଦଣ୍ଡ ମିଳିଥାଏ। ଚଳିତ ବର୍ଷ ଅର୍ଥାତ୍ ୨୦୨୪ରେ ସାଉଦି ଆରବରେ ୧୦୦ରୁ ଅଧିକ ବିଦେଶୀ ନାଗରିକଙ୍କୁ ଫାଶୀ ଦିଆଯାଇଛି। ସାଉଦି ଆରବ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ୧୦୦ରୁ ଅଧିକ ଲୋକଙ୍କୁ ଫାଶୀ ଦିଆଯାଇଛି। ୨୦୨୪ରେ ଏହି ସଂଖ୍ୟା ଗତ ଦୁଇ ବର୍ଷ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ।
ଅଧିକ ପଢ଼ନ୍ତୁ: ବିଜେପି ବିଧାୟକଙ୍କ ଉପରେ ଗୁଳିମାଡ଼