ୱାଶିଂଟନ: ବୁଧବାର ସକାଳେ ନ୍ୟୁ ଅର୍ଲିନ୍ସରେ ନୂଆବର୍ଷ ପାଳନ କରୁଥିବା ଜନତାଙ୍କ ଉପରକୁ ଜଣେ ଡ୍ରାଇଭର ତାଙ୍କ ପିକ୍ଅପ୍ ଟ୍ରକ୍କୁ ଧକ୍କା ଦେବା ସହ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି।
ଏନକାଉଣ୍ଟର ବେଳେ ପୁଲିସ ସହ ଗୁଳିବିନିମୟରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ଘଟିଛି। ସେ ହେଲେ ଟେକ୍ସାସର ୪୨ ବର୍ଷୀୟ ଆମେରିକୀୟ ନାଗରିକ ଶାମସୁଦ୍ଦିନ ଜବ୍ବାର। ସେ ଆମେରିକା ସେନାରେ ମଧ୍ୟ କାର୍ଯ୍ୟ କରିଛନ୍ତି ବୋଲି ଏଫବିଆଇ କହିଛି। ସନ୍ଦିଗ୍ଧ ଶାମସୁଦ୍ଦିନ ଜବ୍ବାରଙ୍କ ଟ୍ରକରେ ଇସ୍ଲାମିକ ଷ୍ଟେଟ୍ର ପତାକା ମିଳିଥିବାରୁ ଆକ୍ରମଣ ସମୟରେ ତାଙ୍କ ସହ ଆହୁରି ଅନେକ ଲୋକ ସାହାଯ୍ୟ କରିପାରିଥାନ୍ତେ ବୋଲି ଏଫ୍ ବିଆଇ ସନ୍ଦେହ କରୁଛି।
ଏହି ମାମଲାକୁ ଏଫବିଆଇ ଆତଙ୍କବାଦ କାର୍ଯ୍ୟ ବୋଲି ତଦନ୍ତ କରୁଛି। ଏହି ଟ୍ରକରୁ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ପତାକା ଜବତ କରିବା ସହ ଆତଙ୍କବାଦୀ ସଂଗଠନ ସହ ଜବ୍ବାରଙ୍କ ଲିଙ୍କ୍ ନେଇ ତଦନ୍ତ ଚଳାଇଛି। ଟ୍ରକରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଥିଲା।
ବୁଧବାର ଭୋର ପ୍ରାୟ ୩ଟା ୧୫ ମିନିଟ୍ରେ ନୂଆବର୍ଷ ପାଳନ ସମୟରେ କେନାଲ ଓ ବୋର୍ବନ ଷ୍ଟ୍ରିଟ୍ ଛକରେ ଏହି ଘଟଣା ଘଟିଛି। ବୋର୍ବନ୍ ଷ୍ଟ୍ରିଟ୍ ସହରର ଫ୍ରେଞ୍ଚ କ୍ୱାର୍ଟରର ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଯେଉଁଠାରେ ଏହାର ସଙ୍ଗୀତ ଏବଂ ବାରରେ ପ୍ରବଳ ଭିଡ଼ ଜମୁଥିଲା। ପୁଲିସ ମୁଖ୍ୟ ଆନ୍ କିର୍କପ୍ୟାଟ୍ରିକ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହି ବ୍ୟକ୍ତି ଜଣକ ଯଥାସମ୍ଭବ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ। ସେ ଲୋକମାନଙ୍କୁ ହତ୍ୟା କରିବା ଏବଂ କ୍ଷତି ପହଞ୍ଚାଇବାକୁ ଚାହୁଁଥିଲା।
କିର୍କପ୍ୟାଟ୍ରିକ୍ କହିଛନ୍ତି ଯେ ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଡ୍ରାଇଭର ବ୍ୟାରିକେଡ୍ ଅତିକ୍ରମ କରି ପୁଲିସ ଉପରକୁ ଗୁଳି ଚଳାଇବା ସହ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ମଧ୍ୟ ଆହତ କରିଥିଲେ। ଆହତ ପୁଲିସ ଅଧିକାରୀଙ୍କ ଅବସ୍ଥା ସ୍ଥିର ରହିଛି। ଆହତଙ୍କୁ ୫ଟି ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସହରର ଜରୁରୀକାଳୀନ ପ୍ରସ୍ତୁତି ବିଭାଗ ନୋଲା ରେଡି ପକ୍ଷରୁ ସୂଚନା ଦିଆଯାଇଛି। ସିନେଟର ଟ୍ରୋୟ କାର୍ଟର ଏକ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଥାଇପାରେ କିନ୍ତୁ ଆନୁଷ୍ଠାନିକ ଭାବେ ଏହା ନିଶ୍ଚିତ କରିପାରି ନାହାନ୍ତି।
ଏହି ଘଟଣାରେ ଅନ୍ୟ ସନ୍ଦିଗ୍ଧମାନେ ମଧ୍ୟ ସମ୍ପୃକ୍ତ ଥାଇପାରନ୍ତି। ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ମୃତଦେହ, ଭଙ୍ଗା ହାଡ଼ ଓ ଅଙ୍ଗ ବିଛିନ୍ନ ହୋଇ ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଟ୍ରକ୍ ଏବଂ ଫ୍ରାନ୍ସ କ୍ୱାର୍ଟରରୁ ମଧ୍ୟ ସମ୍ଭାବ୍ୟ ବିସ୍ଫୋରକ ଉପକରଣ ମିଳିଥିଲା ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। ଏହି ଘଟଣାରେ ଅନ୍ୟ ସନ୍ଦିଗ୍ଧମାନେ ସମ୍ପୃକ୍ତ ଥାଇ ପାରନ୍ତି ଏବଂ ସେମାନଙ୍କ ର ତଦନ୍ତ କରାଯାଉଛି ବୋଲି ନ୍ୟୁ ଅର୍ଲିନ୍ସ ସିଟି କାଉନସିଲ୍ ଅଧ୍ୟକ୍ଷା ହେଲେନା ମୋରେନୋ କହିଛନ୍ତି। ଟ୍ରକ୍ ଡ୍ରାଇଭର ସାମରିକ ପୋଷାକ ପିନ୍ଧିଥିଲେ।