ନୂଆଦିଲ୍ଲୀ: ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କର ରବିବାର ୧୦୦ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ବିଶ୍ୱରେ ଶୋକର ଲହରୀ ଖେଳିଯାଇଛି। ଭାରତ ସହ କାର୍ଟରଙ୍କର ଗଭୀର ସମ୍ପର୍କ ଥିଲା। ତାଙ୍କର ଭାରତ ଗସ୍ତ ଆଜି ବି ସ୍ମରଣୀୟ। ତେଣୁ ତାଙ୍କ ନାମରେ ହରିୟାଣାର ଏକ ଗାଁର ନାମକରଣ କରାଯାଇଥିବା କୁହାଯାଉଛି। ଏହି ଗାଁର ନାମ 'କାର୍ଟରପୁରୀ'। କାର୍ଟର ସେଣ୍ଟର ଅନୁଯାୟୀ, ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ପରେ ଏବଂ ଜନତା ପାର୍ଟିର ବିଜୟ ପରେ ସେ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଯିଏ କି ଭାରତ ଗସ୍ତକରିଥିଲେ।
୧୯୭୮ ମସିହା ଜାନୁଆରୀ ୩ ତାରିଖରେ ଜିମି କାର୍ଟର ଓ ତାଙ୍କ ପତ୍ନୀ ରୋଜାଲିନ୍ କାର୍ଟର ହରିୟାଣାର ଦୌଲତପୁର-ନାସିରାବାଦ ଗାଁକୁ ଯାଇଥିଲେ। ଏହି ଗସ୍ତ ଗ୍ରାମବାସୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା ଯେଉଁମାନେ ଏହି ଅଞ୍ଚଳର ନାମ 'କାର୍ଟରପୁରୀ' ରଖିଥିଲେ। ଏହି ଗସ୍ତ ପରେ କାର୍ଟରଙ୍କ କାର୍ଯ୍ୟକାଳ ସମୟରେ ହ୍ଵାଇଟ୍ ହାଉସ୍ ସହ ଗ୍ରାମର ଘନିଷ୍ଠ ଯୋଗାଯୋଗ ହୋଇଥିଲା। ୨୦୦୨ରେ ଜିମି କାର୍ଟର୍ ନୋବେଲ ଶାନ୍ତି ପୁରସ୍କାର ପାଇବା ପରେ ଏହି ଗାଁରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା ଏବଂ ସମଗ୍ର ଗାଁ ଏକାଠି ଉତ୍ସବ ପାଳନ କରିଥିଲା।
ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜିମି କାର୍ଟର ଜଣେ ଚିନାବାଦାମ ଚାଷୀ ଥିଲେ ଏବଂ ଆମେରିକୀୟ ନୌସେନାରେ ଲେଫ୍ଟନାଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଜର୍ଜିଆର ଗଭର୍ଣ୍ଣର ଭାବରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଏବଂ ପରେ ୧୯୭୭ ରୁ ୧୯୮୧ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ଜୀବନ ବହୁତ ପ୍ରେରଣାଦାୟକ ଥିଲା ଏବଂ ସେ ଏକମାତ୍ର ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଥିଲେ ଯିଏ କି ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିବାର ଗୌରବ ଅର୍ଜନ କରିଥିଲେ।
ଜିମି କାର୍ଟର ବ୍ୟକ୍ତିଗତ ଭାବେ ଭାରତ ସହ ଜଡ଼ିତ ଥିଲେ। ତାଙ୍କ ମା' ଲିଲିଆନ୍ ୧୯୬୦ ଦଶକର ଶେଷ ଭାଗରେ ପିସ୍ କର୍ପସ ଅଧୀନରେ ଭାରତରେ ଜଣେ ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିଥିଲେ। କାର୍ଟରଙ୍କ ରାଷ୍ଟ୍ରପତିତ୍ୱ ୧୯୭୭ରୁ ୧୯୮୧ ପର୍ଯ୍ୟନ୍ତ ଥିଲା ଏବଂ ତାଙ୍କ ନେତୃତ୍ୱରେ ଆମେରିକା ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଅନେକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ନେଇଥିଲା।
ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର