ଇସ୍ଲାମାବାଦ୍: ଆଫଗାନିସ୍ତାନ ସୀମାରେ ଥିବା ଅଶାନ୍ତ ଉତ୍ତର-ପଶ୍ଚିମ ଖୈବର ପଖ୍ତୁନଖୱା ପ୍ରଦେଶରେ ପାକ୍ ସେନା ୫ଟି ପୃଥକ ଅପରେସନରେ ଅତି କମ୍ରେ ୧୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ପାକିସ୍ତାନ ସେନାର ଗଣମାଧ୍ୟମ ଶାଖା ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଶୁକ୍ରବାର ଏହି ସୂଚନା ଦେଇଛି। ଗୁଇନ୍ଦା ସୂଚନା ଆଧାରରେ ଡେରା ଇସମାଇଲ ଖାନ ଜିଲ୍ଲାର କୁଲାଚିରେ ଏନକାଉଣ୍ଟର ପରେ ଯବାନମାନେ ଏକ ଅପରେସନରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।
ଉତ୍ତର ୱାଜିରିସ୍ତାନ ଜିଲ୍ଲାର ଦତ୍ତଖେଲ, ହାସନ ଖେଲ, ଗୁଲାମ ଖାନ ଏବଂ ମୀର ଅଲ୍ଲୀରେ ସୁରକ୍ଷା ବାହିନୀ ୪ଟି ପୃଥକ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ନିହତ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି ବୋଲି ସେନାର ଗଣମାଧ୍ୟମ ଶାଖା କହିଛି। ଏହି ଆତଙ୍କବାଦୀମାନେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ବିରୋଧରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ନିରୀହ ନାଗରିକଙ୍କୁ ହତ୍ୟା କରିବାରେ ସକ୍ରିୟ ଥିଲେ। ଏହି ଅଞ୍ଚଳରେ ଅନ୍ୟ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।
ଚଳିତ ମାସ ପ୍ରାରମ୍ଭରେ ପାକିସ୍ତାନ ସେନା ଖାଇବର ପଖ୍ତୁନଖୱାରେ ତିନୋଟି ବଡ଼ ଅପରେସନ କରିଥିଲା, ଯେଉଁଥିରେ ଲକକି ମାରୱାଟ, କରକ ଏବଂ ଖୈବର ଜିଲ୍ଲାରେ ୩୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅପରେସନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଲକ୍କି ମାରୱାଟରେ ସର୍ବାଧିକ ୧୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ କରକରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଖୈବର ଜିଲ୍ଲାର ବାଗ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସେନା ଆତଙ୍କବାଦୀ ନେତା ଅଜିଜ୍ ରେହମାନ ଓ ମୁଖଲିସଙ୍କ ସମେତ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି।
ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ସୁରକ୍ଷା ବାହିନୀର ସଫଳ ଅପରେସନ ପାଇଁ ପ୍ରଶଂସା କରିଛନ୍ତି। ଏହି ଅପରେସନ୍ ଆତଙ୍କବାଦୀଙ୍କ ନେଟୱାର୍କକୁ ବଡ଼ ଝଟକା ଦେଇଛି ଏବଂ ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ।