ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ନ ୧୧ଟାରେ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡରକୁ ନେଇ ଖୁସି ଖବର ଆସିଛି। ଆଜିଠାରୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ତୈଳ ବିପଣନ କମ୍ପାନୀଗୁଡିକ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଛନ୍ତି। ଆଜିଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡର ର ମୂଲ୍ୟ ୭ ଟଙ୍କା ହ୍ରାସ ପାଇଛି। ଦିଲ୍ଲୀରେ ଆଜିଠାରୁ ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରି ମୂଲ୍ୟ ୧୭୯୭ ଟଙ୍କା ରହିଛି। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ର ମୂଲ୍ୟ କୁ ନେଇ କୌଣସି ଅପଡେଟ ହୋଇନାହିଁ ଏବଂ ବର୍ତ୍ତମାନ ପାଇଁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ।
ଘରୋଇ ଗ୍ୟାସ ସିଲିଣ୍ଡର ଦର ସ୍ଥିର ରହିଛି। ୨୦୨୪ ଅଗଷ୍ଟ ପହିଲାରୁ ୧୪ କେଜି ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ଏହାର ମୂଲ୍ୟ ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି। ୨୦୨୫ରେ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହା ଦ୍ୱିତୀୟ ହ୍ରାସ। ବର୍ଷର ପ୍ରଥମ ଦିନରେ ଦିଲ୍ଲୀରୁ ମୁମ୍ବାଇ ଏବଂ କୋଲକାତାରୁ ଚେନ୍ନାଇ ପର୍ଯ୍ୟନ୍ତ ଦର ହ୍ରାସ କରାଯାଇଥିଲା। ଦିଲ୍ଲୀରେ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୦୪ ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ଡିସେମ୍ବର ୧ରେ ୧୮୧୮.୫୦ ଟଙ୍କା ଥିଲା।