ନୂଆଦିଲ୍ଲୀ: ଶୀତ ଋତୁ ସତ୍ତ୍ୱେ ତାପମାତ୍ରା ବଢିବାର ଧାରା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଶନିବାର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୨୦୨୫ ଫେବ୍ରୁଆରି ୧ ତାରିଖ ସକାଳେ ଦିଲ୍ଲୀରେ କୁହୁଡ଼ି ଘେରି ରହିଥିଲା। ଆଜିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୨୬ ଡିଗ୍ରୀ ସେଲସିୟସ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଦିଲ୍ଲୀରେ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ମଧ୍ୟ କମ୍ ରହିଛି। ଘନ କୁହୁଡ଼ି ଯୋଗୁଁ ପାଲାମ ଅଞ୍ଚଳରେ ଦୃଶ୍ୟମାନତା ୫୦ ମିଟର ମଧ୍ୟରେ ସୀମିତ ରହିଛି। ଘନ କୁହୁଡ଼ି ଯୋଗୁଁ ସଫଦରଜଙ୍ଗ ଅଞ୍ଚଳରେ ଦୃଶ୍ୟମାନତା ୧୦୦ ମିଟର ରହିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଦିଲ୍ଲୀରେ ଆକାଶ ସ୍ୱଚ୍ଛ ରହିବା ସହ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା ଚଳିତ ଋତୁର ହାରାହାରି ତାପମାତ୍ରାଠାରୁ ସାମାନ୍ୟ ଅଧିକ। ସର୍ବୋଚ୍ଚ ତାପମାତ୍ରା ୨୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା କି ହାରାହାରି ଠାରୁ ୪.୭ ଡିଗ୍ରୀ ସେଲସିୟସ ଅଧିକ । ଶୁକ୍ରବାର ସକାଳ ସାଢ଼େ ୮ଟାରେ ଆର୍ଦ୍ରତାର ମାତ୍ରା ୯୫ ପ୍ରତିଶତ ରହିଥିଲା।
ଦିଲ୍ଲୀରେ ତାପମାତ୍ରା ୨୭ ଡିଗ୍ରୀରେ ପହଞ୍ଚିଥିବା ବେଳେ ୨୦୧୯ ପରଠାରୁ ଏହା ଜାନୁଆରୀ ମାସର ସବୁଠାରୁ ଉତ୍ତପ୍ତ ଦିନ ଥିଲା। ଚଳିତ ମାସର ହାରାହାରି ସର୍ବୋଚ୍ଚ ତାପମାତ୍ରା ୨୧.୧ ଡିଗ୍ରୀ ସେଲସିୟସ ଥିଲା, ଯାହା କି ଦୀର୍ଘମିଆଦୀ ହାରାହାରି (ଏଲପିଏ) ୨୦.୧ ଡିଗ୍ରୀ ସେଲସିୟସ ଠାରୁ ଏକ ଡିଗ୍ରୀ ଅଧିକ, ଯାହା କି ୨୦୧୯ ପରଠାରୁ ଦିଲ୍ଲୀରେ ରେକର୍ଡ କରାଯାଇଥିବା ସବୁଠାରୁ ଉତ୍ତପ୍ତ ଜାନୁଆରୀ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ତଥ୍ୟ ଅନୁଯାୟୀ ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ଅଧିକ ରହିଛି। ମାସର ହାରାହାରି ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ଥିଲା, ଯାହା କି ଲଙ୍ଗ ପିରିୟଡ ହାରାହାରି (ଏଲପିଏ) ୭.୫ ଡିଗ୍ରୀ ସେଲସିୟସ ଠାରୁ ଏକ ଡିଗ୍ରୀ ଅଧିକ ଅଟେ। ୨୦୧୭ ପରଠାରୁ ଏହା ସର୍ବୋଚ୍ଚ ତାପମାତ୍ରା, ଯେତେବେଳେ ଏହା ୮.୭ ଡିଗ୍ରୀ ସେଲସିୟସ ଥିଲା। ପାଣିପାଗ ବିଜ୍ଞାନୀମାନେ ଜାନୁଆରୀରେ ସ୍ୱାଭାବିକଠାରୁ ଅଧିକ ଗରମ ପାଇଁ ଏକ ଶକ୍ତିଶାଳୀ ପଶ୍ଚିମ ବିକ୍ଷୋଭର ଅନୁପସ୍ଥିତିକୁ ଦାୟୀ କରିଛନ୍ତି, ଯାହା ସାଧାରଣତଃ ବର୍ଷା ଆଣିଥାଏ ଏବଂ ତାପମାତ୍ରା ହ୍ରାସ କରିଥାଏ।