ସିଡ୍ନୀ: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ୬ ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଏହା ସହ ଅଷ୍ଟ୍ରେଲିଆ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୩-୧ ଗୋଲରେ ବର୍ଡର ଗାଭାସ୍କର ଟ୍ରଫି ଜିତିଛି। ଏହା ବ୍ୟତୀତ ସେମାନେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ମଧ୍ୟ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଭାରତ ଡବ୍ଲ୍ୟୁଟିସିର ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ୧୬୨ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୨୭ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା। ବିଉ ୱେବଷ୍ଟର ୩୯ ଓ ଟ୍ରାଭିସ୍ ହେଡ୍ ୩୪ ରନ୍ କରି ଅପରାଜିତ ରହିଥିଲେ।
ପଞ୍ଚମ ଟେଷ୍ଟ ମ୍ୟାଚ୍ ଗତ ୩ତାରିଖରୁ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା। ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଖେଳିଥିବା ଭାରତୀୟ ଟିମ୍ ପ୍ରଥମ ପାଳିରେ ୧୮୫ ରନ୍ ଓ ଦ୍ବିତୀୟ ପାଳିରେ ୧୫୭ ରନ୍ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୮୧ ରନ୍ ଓ ଦ୍ବିତୀୟ ପାଳିରେ ୪ଟି ୱିକେଟ୍ ହରାଇ ୧୬୨ ରନ୍ କରି ବିଜୟ ଲକ୍ଷ୍ୟ ପୂରା କରିଥିଲା।
ତୃତୀୟ ଦିନରେ ରବିବାର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଘରୋଇ ଦଳ ବିପର୍ଯ୍ୟୟର ସାମ୍ନା କରିଥିଲା। ଏହି ସମୟରେ ସ୍କୋର ୭୧ ରନ୍ ସଂଗ୍ରହ କରି ୩ଟି ୱିକେଟ୍ ହରାଇଥିଲା ଏବଂ ଏହି ମ୍ୟାଚ୍ ଜିତିବା ପାଇଁ ୯୧ ରନ୍ ଦରକାର କରୁଥିଲା।
ଅଷ୍ଟ୍ରେଲିଆ ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇଥିଲେ ମଧ୍ୟ ଉସ୍ମାନ ଖୱାଜା (୪୧), ଟ୍ରାଭିସ୍ ହେଡ୍ ଓ ବିଉ୍ ୱେବ୍ଷ୍ଟର ଧୈର୍ଯ୍ୟର ସହିତ ଖେଳିଥିଲେ। ଅନ୍ୟପଟରେ ଆଜି ଆରମ୍ଭରୁ ଭାରତୀୟ ବୋଲରମାନେ ଯେଉଁଭଳି ଆକ୍ରମଣାତ୍ମକ ଶୈଳୀରେ ବୋଲିଂ କରିଥିଲେ, ମଧ୍ୟାହ୍ନ ଭୋଜନ ବିରତି ପରେ ସମାନ ପ୍ରକାରରେ ପ୍ରଭାବ ଦେଖାଇ ପାରି ନଥିଲେ।
ସୂଚନାଯୋଗ୍ୟ, ଏବେ ଡବ୍ଲ୍ୟୁଟିସି ଫାଇନାଲରେ ଅଷ୍ଟ୍ରେଲିଆ ଏବେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଚଳିତ ବର୍ଷ ଜୁନ୍ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ କ୍ରିକେଟର ମକ୍କା ଲର୍ଡସରେ ଡବ୍ଲ୍ୟୁଟିସିର ଚଳିତ ଚକ୍ରର ଫାଇନାଲ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ଦଳ କ୍ରମାଗତ ଦୁଇଟି ଫାଇନାଲ୍ ଖେଳିଥିଲା, ଯେଉଁଥିରେ ସେମାନେ ପ୍ରଥମେ ନ୍ୟୁଜିଲାଣ୍ଡ ଏବଂ ପରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ। ଏବେ ତୃତୀୟ ଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲରେ ପହଞ୍ଚିବା ପାଇଁ ଭାରତୀୟ ଦଳର ସ୍ୱପ୍ନ ଭାଙ୍ଗିଯାଇଛି।
ଅଧିକ ପଢ଼ନ୍ତୁ: ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍