ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡିସେମ୍ବର ୨୬ରୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ବକ୍ସିଂ ଡେ ଟେଷ୍ଟ ଜାରି ରହିଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆୟୋଜକ ଦଳ ପ୍ରଥମେ ବ୍ୟାଟିଂ କରି ୪୭୪ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୩୬୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା।
ଚତୁର୍ଥ ଦିନ ରବିବାର ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଘରୋଇ ଦଳ ୨ଟି ୱିକେଟ୍ ହରାଇ ୫୩ ରନ୍ ସଂଗ୍ରହ କରିଛି। ଏଥି ସହିତ କଙ୍ଗାରୁ ଦଳ ଏବେ ୧୫୮ ରନ୍ର ଅଗ୍ରଣୀ ହାସଲ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ୍ ଲାବୁସାନ୍ ୨୦ ଓ ଷ୍ଟିଭ୍ ସ୍ମିଥ୍ ୨ ରନ୍ କରି ବ୍ୟାଟିଂ କରୁଛନ୍ତି।
ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିଛନ୍ତି। ପ୍ରାରମ୍ଭିକ ବ୍ୟାଟର ଉସମାନ ଖୱାଜାଙ୍କୁ ମହମ୍ମଦ ସିରାଜ ବୋଲ୍ଡ କରିଛନ୍ତି। ଖୱାଜା ୬୫ଟି ବଲ୍ ଖେଳି ୨୧ ରନ୍ ସଂଗ୍ରହ କରିଥିଲେ।
ସେହିପରି ସାମ୍ କନଷ୍ଟାସଙ୍କୁ ଯଶପ୍ରୀତ ବୁମରା ବଡ଼ ସ୍କୋର କରିବାକୁ ସୁଯୋଗ ଦେଇନାହାନ୍ତି। ଯୁବ ବ୍ୟାଟର କନଷ୍ଟାସ ପ୍ରଥମ ପାଳିରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦ୍ବିତୀୟ ପାଳିରେ ୮ ରନ୍ କରିଛନ୍ତି। ସେ ୧୮ଟି ବଲ୍ ସାମ୍ନା କରିଥିଲେ। କଙ୍ଗାରୁ ଦଳ ୨୦ ରନ୍ରେ କନଷ୍ଟାସ ପ୍ରଥମ ୱିକେଟ୍ ଭାବେ ହରାଇଥିଲା। ସେହିପରି ଖୱାଜଙ୍କୁ ଦ୍ୱିତୀୟ ୱିକେଟ୍ ଭାବେ ୪୩ ରନ୍ରେ ହରାଇଥିଲା।
ଅଧିକ ପଢ଼ନ୍ତୁ: ଦକ୍ଷିଣ କୋରିଆରେ ରନୱେରୁ ଖସିଲା ବିମାନ