ସିଓଲ: ଦକ୍ଷିଣ କୋରିଆରେ ୧୮୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଅବତରଣ ସମୟରେ ବିମାନଟି ରନୱେରୁ ଖସି ପଡ଼ିବାରୁ ଏହି ବଡ଼ଧରଣର ଦୁର୍ଘଟଣା ଘଟିଥିଲା। ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନ ରନୱେରୁ ଖସି ପଡ଼ିଥିବା ନେଇ ରବିବାର ସକାଳୁ ଜଣାପଡ଼ିଛି। ଦୁର୍ଘଟଣା ଯୋଗୁଁ ରିପୋର୍ଟ ଲେଖାଯିବା ବେଳକୁ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବଳେ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ରିପୋର୍ଟ ଅନୁଯାୟୀ ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଥିଲେ। ଜେଜୁ ଏୟାରର ବିମାନଟି ଥାଇଲାଣ୍ଡରୁ ଫେରୁଥିଲା ଏବଂ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନବନ୍ଦର ଦକ୍ଷିଣ କୋରିଆର ଦକ୍ଷିଣ ଭାଗରେ ଅବସ୍ଥିତ। ସ୍ଥାନୀୟ ଗଣମାଧ୍ୟମରେ ସେୟାର କରାଯାଇଥିବା ଫଟୋରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।
ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଆଁ ଲାଗିଥିବା ଅଗ୍ନିଶମ କର୍ତ୍ତୃପକ୍ଷ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ଫଟୋରେ ଦେଖିବାକୁ ମିଳିଛି ଯେ ବିମାନରୁ ଧୂଆଁ ବାହାରୁଛି। ରିପୋର୍ଟ ଅନୁଯାୟୀ, ମୁଆନ୍ ବିମାନବନ୍ଦରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।