ମୁମ୍ବାଇ: ମହାରାଷ୍ଟ ରାଜଧାନୀ ମୁମ୍ବାଇରେ ଘଟିଥିବା ୨୧/୧୧ ଆତଙ୍କବାଦୀ ଘଟଣା ଏବେ ବି ମନରୁ ଲିଭିନି । ତେବେ ଆକ୍ରମଣ ପଛରେ ଥିବା ମାଷ୍ଟରମାଇଣ୍ଡ ତାହୱୁର ରାଣାଙ୍କୁ ଖୁବଶୀଘ୍ର ଭାରତ ଅଣାଯିବ । ଏନେଇ ଗ୍ରୀନ ସିଗନାଲ ଦେଇଛି ଆମେରିକା ।
ଏହାପୂର୍ବରୁ ଭାରତ ଆମେରିକୀୟ କୋର୍ଟରେ ଦୃଢ଼ ପ୍ରମାଣ ଉପସ୍ଥାପନ କରିଥିଲା । ଏଥିରେ ରାଣାଙ୍କ ସମ୍ପୃକ୍ତି ସ୍ପଷ୍ଟ ରୂପରେ ଦେଖାଯାଇଥିଲା । ରାଣାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଆମେରିକା କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ରାଣାଙ୍କୁ ଭାରତ ହସ୍ତାନ୍ତର କରାଯାଇପାରିବ ବୋଲି କୋର୍ଟ ସ୍ୱୀକାର କରିଛନ୍ତି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ଭୂମିକା ସାମ୍ନାକୁ ଆସିଥିଲା।ରାଣାଙ୍କ ବିରୋଧରେ ଆନ୍ତର୍ଜାତୀୟ ଗିରଫ ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା। ଏନଆଇଏ ମଧ୍ୟ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି।
ଏହି ନିଷ୍ପତ୍ତି ଭାରତ ପାଇଁ ଏକ ବଡ କୂଟନୈତିକ ବିଜୟ ଭାବରେ ବିବେଚନା କରାଯାଉଛି। ଏବେ ଭାରତ ତାଙ୍କୁ ଜଲଦି ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । ରାଣା ୨୬/୧୧ ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମାନ ହେଡଲିଙ୍କୁ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ରହିଛି । ହେଡଲି ମୁମ୍ବାଇରେ ସ୍ଥାନଗୁଡ଼ିକର ରେକି କରିଥିଲେ ଅର୍ଥାତ୍ ସ୍ଥାନଗୁଡ଼ିକୁ ବୁଲି ଦେଖିଥିଲେ ।
ଏଫବିଆଇ ରାଣାଙ୍କୁ ୨୦୦୯ରେ ଚିକାଗୋରୁ ଗିରଫ କରିଥିଲା । ସେ ପାକିସ୍ତାନର ଆଇଏସଆଇ ଏବଂ ଲସ୍କର-ଏ-ତାଏବାର ଜଣେ ଅପରେଟିଭ୍ ବୋଲି କୁହାଯାଉଛି ।ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ କରିବା ଏବଂ ଡେନମାର୍କରେ ଆତଙ୍କୀ ଆକ୍ରମଣର ବିଫଳ ଷଡ଼ଯନ୍ତ୍ର ରଚିବା ପାଇଁ କୋର୍ଟ ରାଣାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଭାରତରେ ହୋଇଥିବା ଆକ୍ରମଣ ଅଭିଯୋଗକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ କୋର୍ଟ କହିଥିଲେ ଯେ ସେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ ଏବଂ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବା ଉଚିତ୍ ।