ନୂଆଦିଲ୍ଲୀ: ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଯାଚିକା ବାଂଲାଦେଶର ଚଟ୍ଟଗାଓଁ କୋର୍ଟ ଖାରଜ କରି ଦେଇଛି । ଏବେ ଚିନ୍ମୟ ଦାସଙ୍କ ଓକିଲ ହାଇକୋର୍ଟ ଯିବାକୁ ପ୍ରସ୍ତୁତି କରୁଛନ୍ତି । ତାଙ୍କ ଜାମିନ ପାଇଁ ସୁପ୍ରିମକୋର୍ଟର ୧୧ ଜଣ ଆଇନଜୀବୀ କୋର୍ଟରେ ଉପସ୍ଥିତ ଥିଲେ । ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଜାମିନ ଖାରଜ କରିଛନ୍ତି ।
ଆଡଭୋକେଟ୍ ଅପୂର୍ବ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ଲିଗାଲ୍ ଟିମ୍ ଦେଶଦ୍ରୋହ ଅଭିଯୋଗରେ ଗିରଫ ଚିନ୍ମୟ କୃଷ୍ଣ ଦାସଙ୍କ ପକ୍ଷରେ କେସ୍ ଲଢୁଛନ୍ତି । ତାଙ୍କ ଉପରେ ବାଂଲାଦେଶର ଜାତୀୟ ପତାକା ଅପମାନ କରିବାର ଅଭିଯୋଗ ହୋଇଛି । ଆଡଭୋକେଟ୍ ଅପୂର୍ବ କହିଛନ୍ତି, ଚିନ୍ମୟଙ୍କ ଜାମିନ ପାଇଁ ଆମେ ଉପର କୋର୍ଟ ଯିବୁ । ଏହି କେସ୍ ଲଢିବା ପାଇଁ ଆମେ ପ୍ରସ୍ତୁତ । ମୁଁ ସୁପ୍ରିମେକାର୍ଟ ଓ ଚଟ୍ଟଗାଓଁ ବାର ଆସୋସିଏସନ ଉଭୟର ସଦସ୍ୟ । ଏଥିପାଇଁ ମୋତେ କେସ୍ ରୁଜୁ ପାଇଁ କୌଣସି ସ୍ଥାନୀୟ ଅଦାଲତର ଅନୁମତିର ଆବଶ୍ୟକତା ନାହିଁ । ଆମେ ପାରୁ ପର୍ଯ୍ୟନ୍ତ ଚିନ୍ମୟଙ୍କୁ ଜାମିନ ଦେବା ପାଇଁ ଆଇନଗତ ଲଢେଇ ଲଢିବୁ ।
ଏହା ପୂର୍ବରୁ ଚିନ୍ମୟ ଦାସଙ୍କ ପାଇଁ ଓକିଲ ମିଳିବା ମୁସ୍କିଲ ହୋଇ ପଡିଥିଲା । ତାଙ୍କ କେସ୍ ଲଢିବାକୁ ପ୍ରସ୍ତୁତ ହେଉଥିବା ପୂର୍ବରୁ ଅନେକ ଓକିଲଙ୍କୁ ହତ୍ୟା ଧମକ ମିଳୁଥିଲା । ତେଣୁ କୌଣସି ଓକିଲ ତାଙ୍କ କେସ୍ ନେବାକୁ ରାଜି ହେଉ ନ ଥିଲେ । କିନ୍ତୁ ଏବେ ଚିନ୍ମୟଙ୍କ ପାଇଁ ଜଣେ କି ଦୁଇ ଜଣ ନୁହେଁ ୧୧ ଓକିଲଙ୍କ ଏକ ଲିଗାଲ୍ ଟିମ୍ ତାଙ୍କ କେସ୍ ଲଢୁଛନ୍ତି । ତଳ କୋର୍ଟରେ ଜାମିନ ଖାରଜ ହେବା ପରେ ଏବେ ହାଇକୋର୍ଟରେ ଜାମିନ ଆବେଦନ ଦାଖଲ କରାଯିବ ।