ୱାଶିଂଟନ: ଦକ୍ଷିଣ ଆମେରିକୀୟ ଦେଶ ‘ଚିଲି’ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ମିଳିଥିବା ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚିଲିର ସ୍ଥାନୀୟ ସମୟ ଅନୁଯାୟୀ ଏଠାରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଭୂମିକମ୍ପ ଯୋଗୁଁ ଚିଲିର ପ୍ରଭାବିତ ଅଞ୍ଚଳରେ କେତେ କ୍ଷୟକ୍ଷତି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସ୍ସି) ଅନୁଯାୟୀ ଚିଲିର ଆଣ୍ଟୋଫାଗାଷ୍ଟାଠାରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ୧୦୪ କିଲୋମିଟର (୬୪.୬୨ ମାଇଲ) ଗଭୀରତାରେ ଥିଲା ବୋଲି ଇଏମ୍ଏସ୍ସି କହିଛି।
ସୂଚନାଯୋଗ୍ୟ, ଇତିହାସରେ ସବୁଠାରୁ ଅଧିକ ତୀବ୍ରତାର ଭୂମିକମ୍ପ ଚିଲିରେ ହିଁ ରେକର୍ଡ କରାଯାଇଛି। ଚିଲି ଭୂମିକମ୍ପ ପ୍ରବଣ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ପ୍ଲେଟ୍ ଟେକ୍ଟୋନିକ୍ସ କାରଣରୁ ବାରମ୍ବାର ଭୂମିକମ୍ପ ହୁଏ। ଇତିହାସରେ ଏଠାରେ ଅନେକ ମହାଭୂକମ୍ପ ରେକର୍ଡ କରାଯାଇଛି। ୧୯୬୦ ମସିହାରେ ଭାଲଡିଭିଆରେ ୯.୫ ତୀବ୍ରତାର ଭୂମିକମ୍ପକୁ ଏପର୍ଯ୍ୟନ୍ତର ସର୍ବବୃହତ ଭୂମିକମ୍ପ ବୋଲି ବିବେଚନା କରାଯାଏ।
ସେହିପରି ୨୦୧୦ମସିହାରେ କନକେପସିନରେ ୮.୮ ତୀବ୍ରତାର ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି କରିଥିଲା। ଚିଲି ସରକାର ଏବଂ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସ୍ଥାନୀୟ ସ୍ତରରେ ରିଲିଫ୍ ଓ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା, ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଏବଂ ସରକାରୀ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଗ୍ୟାସ୍ ଲିକ୍ ରୋକିବା ପାଇଁ ଉଦ୍ଧାରକାରୀ ଦଳର ଉଦ୍ୟମ ଜାରି