ନୂଆଦିଲ୍ଲୀ: ୨୦୨୪ ବିଦାୟ ସହ ୨୦୨୫ ନବ ବର୍ଷର ଆଗମନ ଘଟିଛି।ନ୍ୟୁଜିଲାଣ୍ଡର ରାଜଧାନୀ ଅକଲାଣ୍ଡରେ ନୂଆ ବର୍ଷ ପାଳନ ଆରମ୍ଭ ହୋଇ ଯାଇଛି।ଲୋକେ ହର୍ଷଉଲ୍ଲାସର ସହ ନୂଆ ବର୍ଷକୁ ସ୍ଵାଗତ କରିଛନ୍ତି। ଏଠାରେ ଡିସେମ୍ବର ୩୧ ରାତି ୧୨ଟା ବାଜିବା ମାତ୍ରେ ଲୋକେ ରାସ୍ତାକୁ ଆସି ନୂଆ ବର୍ଷକୁ ପରସ୍ପରକୁ ଅଭିନନ୍ଦନ ଜଣାଇ ଜୋରଦାର ସ୍ଵାଗତ କରିଛନ୍ତି। ଏହି ସମୟରେ ନ୍ୟୁଜିଲାଣ୍ଡର ଅନେକ ସହରରେ ଭବ୍ୟ ଆତସବାଜୀ କରାଯାଇ ନୂଆ ବର୍ଷ ପାଳନ କରାଯାଇଛି। ଭାରତଠୁ ସାତ ଘଣ୍ଟା ପୂର୍ବରୁ ନ୍ୟୁଜିଲାଣ୍ଡରେ ନୂଆ ବର୍ଷ ପାଳନ କରାଯାଏ।
ଦେଶର ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । ଜିରୋ ନାଇଟ୍ ପାଇଁ ରଙ୍ଗୀନ ହୋଇଛି ଦେଶର ବିଭିନ୍ନ ସହର । ହୋଟେଲ ଗୁଡିକରେ ମଧ୍ୟ ନାଚଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରଙ୍ଗବେରଙ୍ଗ ଆଲୋକମାଳା ସହ ଆତସବାଜି ସହ ଉତ୍ସବରେ ନିଜକୁ ହଜାଇ ଦେଇଛନ୍ତି ଦେଶବାସୀ। ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆର ସିଡନୀ, ମେଲବର୍ଣ୍ଣ ଓ କାନବେରାରେ ନୂଆ ବର୍ଷର ଆଗମନ ଘଟିବ। ଏହା ପରେ ଅଷ୍ଟ୍ରେଲିଆର ଅନ୍ୟ ସହର ଆଡିଲେଡ, ବ୍ରୋକନ ଓ ସେଡୁନାର ପାଳନ କରାଯିବ।
ଜାପାନ, ଦକ୍ଷିଣ କୋରିଆ ଓ ଉତ୍ତର କୋରିଆରେ ଲୋକେ ଯେତେବେଳେ ନୂଆ ବର୍ଷ ପାଳନ କରିବେ, ସେହି ସମୟରେ ଭାରତରେ ଡିସେମ୍ବର ୩୧ ରାତି ୮ଟା ୩୦ ହୋଇଥିବ। ଏହା ପରେ ଚୀନ, ଫିଲିପାଇନ୍ସ ଓ ସିଙ୍ଗାପୁରର ଲୋକେ ନୂଆ ବର୍ଷ ପାଳନ କରିବେ। ଭାରତ ଓ ଶ୍ରୀଲଙ୍କାରେ ରାତି ୧୨ଟାରେ ନୂଆ ବର୍ଷ ପାଳନ କରାଯିବ।