ନୂଆଦିଲ୍ଲୀ: ନୂଆ ବର୍ଷ ଆଗମନକୁ ଆଉ କେଇ ଘଣ୍ଟା ବାକି ରହିଲା। ଯେମିତି ଯେମିତି ନୂଆ ବର୍ଷ ନିକଟତର ହେଉଛି ଲୋକେ ନୂଆ ବର୍ଷକୁ ସ୍ଵାଗତ କରିବା ପାଇଁ ପ୍ରସ୍ତୁତିରେ ଜୁଟି ଯାଇଛି। କେତେ କଣ ଭୋଜିର ଆସର ଜମିବ। ଜିରୋ ନାଇଟ୍ ସେଲିବ୍ରେସନ ହେବ। ଡିସେମ୍ବର ୩୧ ରାତି ଘଣ୍ଟା କଣ୍ଟା ଯେମିତି ୧୨ଟା ହେବ, ନୂଆ ବର୍ଷର ଉତ୍ସବ ଆରମ୍ଭ ହୋଇଯିବ। ଲୋକେ ନିଜର ସାଙ୍ଗ, ବନ୍ଧୁ ପରିଜନଙ୍କ ସହିତ ନୂଆ ବର୍ଷ ପାଳନ କରିବେ। କିଏ ନିଜ ମନ ପସନ୍ଦର ଜାଗା ବୁଲି ନୂଆ ବର୍ଷ ପାଳନ କରିବ। କଣ ଆପଣ ଜାଣିଛନ୍ତି, ନୂଆ ବର୍ଷ ଦୁନିଆର ଭିନ୍ନ ଭିନ୍ନ ଜାଗାରେ ଅଲଗା ଅଲଗା ସମୟରେ ପାଳନ କରାଯାଏ। ସର୍ବପ୍ରଥମେ କେଉଁ ଦେଶରେ ନୂଆ ବର୍ଷର ଆଗମନ ହୁଏ ଏବଂ କେଉଁ ଦେଶରେ ନୂଆ ବର୍ଷ ଶେଷରେ ଆସେ। ନ୍ୟୁଜିଲାଣ୍ଡରେ ନୂଆ ବର୍ଷ ଭାରତଠୁ ସାତ ଘଣ୍ଟା ପୂର୍ବେ ଆରମ୍ଭ ହୋଇଥାଏ ଏବଂ ଆମେରିକାରେ ଭାରତଠୁ ପ୍ରାୟ ୯ ଘଣ୍ଟା ପରେ ନୂଆ ବର୍ଷ ଆରମ୍ଭ ହୋଇଥାଏ।
୨୦୨୫ର ସ୍ଵାଗତ କରିବାରେ ପ୍ରଥମ ଦେଶ କିରିବାତି ଗଣରାଜ୍ୟରେ କ୍ରିସମସ ଦ୍ଵୀପ ରହିଛି। ଏହା ପ୍ରଶାନ୍ତ ମହାସାଗରରେ ସବୁଠୁ ଛୋଟ ଦ୍ଵୀପ। ଭାରତୀୟ ସମୟନୁସାରେ ଡିସେମ୍ବର ୩୧ ଦିନ ୩ଟା ୩୧ରେ କିରିବାତିରେ ନୂଆ ବର୍ଷ ଆରମ୍ଭ ହୋଇ ଯାଇଛି। ଏହା ପରେ ପରେ ନ୍ୟୁଜିଲାଣ୍ଡର ଚ୍ୟାଥମ ଦ୍ଵୀପରେ ଲୋକେ ନୂଆ ବର୍ଷ ପାଳନ କରନ୍ତି। ଏହା ପରେ ନ୍ୟୁଜିଲାଣ୍ଡର ଅନ୍ୟ ପ୍ରମୁଖ ସହ ଅକଲାଣ୍ଡ ଓ ଓ୍ଵେଲିଂଟନରେ ଲୋକେ ନୂଆ ବର୍ଷ ଉତ୍ସବ ପାଳନ କରନ୍ତି।
ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆର ସିଡନୀ, ମେଲବର୍ଣ୍ଣ ଓ କାନବେରାରେ ନୂଆ ବର୍ଷର ଆଗମନ ଘଟିବ। ଏହା ପରେ ଅଷ୍ଟ୍ରେଲିଆର ଅନ୍ୟ ସହର ଆଡିଲେଡ, ବ୍ରୋକନ ଓ ସେଡୁନାର ପାଳନ କରାଯିବ।
ଜାପାନ, ଦକ୍ଷିଣ କୋରିଆ ଓ ଉତ୍ତର କୋରିଆରେ ଲୋକେ ଯେତେବେଳେ ନୂଆ ବର୍ଷ ପାଳନ କରିବେ, ସେହି ସମୟରେ ଭାରତରେ ଡିସେମ୍ବର ୩୧ ରାତି ୮ଟା ୩୦ ହୋଇଥିବ। ଏହା ପରେ ଚୀନ, ଫିଲିପାଇନ୍ସ ଓ ସିଙ୍ଗାପୁରର ଲୋକେ ନୂଆ ବର୍ଷ ପାଳନ କରିବେ।
ଭାରତ କେତେ ନମ୍ବରରେ ?
ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ମିଆଁମାରରେ ନୂଆ ବର୍ଷ ଭାରତଠୁ ଆଗରେ ପାଳନ ହେବ। ଏହା ପରେ ବାଂଲାଦେଶ ଓ ନେପାଳ ରହିଛି। ଭାରତ ଓ ଶ୍ରୀଲଙ୍କାରେ ରାତି ୧୨ଟାରେ ନୂଆ ବର୍ଷ ପାଳନ କରାଯିବ, ଯେତେବେଳେ ଇଏସଟି ଟାଇମିଂ ୨୦୨୫ ଜାନୁଆରୀ ୧ ସମୟ ୧ଟା ୩୦ ହୋଇଥିବ। ଏହା ପରେ ନୂଆ ବର୍ଷ ଉତ୍ସବ ପାଳନ ତାଲିକାରେ ପାକିସ୍ତାନ ଓ ଆଫଗାନିସ୍ତାନ ରହିଛି।
ଶେଷରେ କିଏ ?
ପୃଥିବୀରେ ନୂଆ ବର୍ଷର ସ୍ଵାଗତ ତାଲିକାରେ ଶେଷରେ ରହିଛି ହଓ୍ଵାଇର ଦକ୍ଷିଣ ପଶ୍ଚିମରେ ସ୍ଥିତ ବେକର ଓ ହାଉଲ୍ୟାଣ୍ଡର ନିର୍ଜନ ଦ୍ଵୀପ। ଏହି ଦ୍ଵୀପରେ ନୂଆ ବର୍ଷ ଭାରତୀୟ ସମୟ ଜାନୁଆରୀ ୧ ସନ୍ଧ୍ୟା ୫ଟା ୩୦ରେ ଆରମ୍ଭ ହଏ।