ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡିସେମ୍ବର ୨୬ରୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ବକ୍ସିଂ ଡେ ଟେଷ୍ଟ ଜାରି ରହିଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆୟୋଜକ ଦଳ ପ୍ରଥମେ ବ୍ୟାଟିଂ କରି ୪୭୪ ରନ୍ କରିଥିଲା। କିନ୍ତୁ ଦ୍ବିତୀୟ ପାଳିରେ ବିପର୍ଯ୍ୟୟର ସାମ୍ନା କରିଛି। ୧୦୦ ରନ୍ ପୂବରୁ ଦଳ ଆଗଧାଡ଼ିର ୬ ଜଣ ଖେଳାଳିଙ୍କୁ ହରାଇଛି। ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟର କାରଣ ପାଲଟିଛନ୍ତି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା।
ଯଶପ୍ରୀତ ବୁମରାଙ୍କ ବଲ୍ରେ ସାମ୍ କନଷ୍ଟାସ୍ (୮), ଟ୍ରାଭିସ୍ ହେଡ୍ (୧), ମିଚେଲ ମାର୍ସ (୦) ଓ ଆଲେକ୍ସ କେରି (୨) ଆଉଟ୍ ହୋଇଛନ୍ତି। କଙ୍ଗାରୁ ଦଳ ୨୦ ରନ୍ରେ ପ୍ରଥମ, ୪୩ ରନ୍ରେ ଦ୍ବିତୀୟ, ୮୦ ରନ୍ରେ ତୃତୀୟ, ୬୮ ରନ୍ରେ ଚତୁର୍ଥ ଓ ପଞ୍ଚମ ଏବଂ ୯୧ ରନ୍ରେ ୬ଷ୍ଠ ୱିକେଟ୍ ହରାଇଛି। ଦଳ ୧୧ ରନ୍ ମଧ୍ୟରେ ୪ ଜଣ ଖେଳାଳିଙ୍କୁ ହରାଇଛି। ଭାରତର ବୋଲିଂ ସଫଳତାରେ ମହମ୍ମଦ ସିରାଜଙ୍କ ମଧ୍ୟ ବଡ଼ ଭୂମିକା ରହିଛି, ଯିଏ କି ଉସମାନ ଖୱାଜା (୨୧) ଓ ଷ୍ଟିଭ୍ ସ୍ମିଥ (୧୩)ଙ୍କୁ ପଡ଼ିଆ ବାହାରକୁ ପଠାଇଥିଲେ।
ଅଷ୍ଟ୍ରେଲିଆର ପ୍ରଥମ ପାଳିର ଜବାବରେ ଟିମ୍ ଇଣ୍ଡିଆ ୩୬୯ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଫଳରେ ରିପୋର୍ଟ ଲେଖାଯିବା ବେଳକୁ ଘରୋଇ ଦଳ ଦ୍ବିତୀୟ ପାଳିରେ ୬ଟି ୱିକେଟ୍ ହରାଇ ୧୦୨ ରନ୍ ସଂଗ୍ରହ କରିଛି। ଏଥି ସହିତ ୨୦୭ ରନ୍ରେ ଅଗ୍ରଣୀ ରହିଛି। କ୍ରିଜ୍ରେ ମାର୍ନସ ଲାବୁସାନ ଓ ପେଟ୍ କମିନ୍ସ ଅଛନ୍ତି।
ଚତୁର୍ଥ ଦିନ ରବିବାର ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଘରୋଇ ଦଳ ୨ଟି ୱିକେଟ୍ ହରାଇ ୫୩ ରନ୍ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟର ଉସମାନ ଖୱାଜାଙ୍କୁ ମହମ୍ମଦ ସିରାଜ ବୋଲ୍ଡ କରିଥିଲେ। ଖୱାଜା ୬୫ଟି ବଲ୍ ଖେଳି ୨୧ ରନ୍ ସଂଗ୍ରହ କରିଥିଲେ।
ସେହିପରି ସାମ୍ କନଷ୍ଟାସଙ୍କୁ ଯଶପ୍ରୀତ ବୁମରା ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲେ। ଯୁବ ବ୍ୟାଟର କନଷ୍ଟାସ ପ୍ରଥମ ପାଳିରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦ୍ବିତୀୟ ପାଳିରେ ୮ ରନ୍ରେ ଆଉଟ୍ ହୋଇଥିଲେ। ସେ ୧୮ଟି ବଲ୍ ସାମ୍ନା କରିଥିଲେ।
ଅଧିକ ପଢ଼ନ୍ତୁ: ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି