ନୂଆଦିଲ୍ଲୀ: ବୋମା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍ ଆଧାନମ୍ । ଗୁରୁବାର ୟମନ୍ ସନା ଅନ୍ତର୍ଜାତୀୟ ବିମାନବନ୍ଦରରେ ଇସ୍ରାଏଲ୍ ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକରୁ ହୁର ମୁଖ୍ୟ ସାମାନ୍ୟତମ ଭାବେ ବର୍ତ୍ତି ଯାଇଛନ୍ତି । ଏ ନେଇ ଖୋଦ୍ ଟେଡ୍ରସ୍ ଆଧାନମ୍ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି । ତେବେ ଏହି ଆକ୍ରମଣରେ ଦୁଇ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି ।
WHO ମୁଖ୍ୟ ଟେଡ୍ରସ୍ ଆଧାନମ୍ କହିଛନ୍ତି, ସଂଯୁକ୍ତ ରାଷ୍ଟ୍ରର କର୍ମଚାରୀଙ୍କ ମୁକ୍ତି ଏବଂ ୟମନରେ ସ୍ୱାସ୍ଥ୍ୟ ଓ ମାନବୀୟ ସ୍ଥିତିର ଆକଳନ ପାଇଁ ଆଜି ଆମର ମିଶନ ଶେଷ ହୋଇଛି । ସଂଯୁକ୍ତ ରାଷ୍ଟ୍ରର ବନ୍ଦୀ କର୍ମଚାରୀଙ୍କ ତତ୍କାଳ ମୁକ୍ତି ପାଇଁ ଆମର ଲଢେଇ ଜାରି ରହିବ । ତେବେ ସନା ଏୟାରପୋର୍ଟରୁ ଉଡ଼ାଣ ଭରିବାର ମାତ୍ର ୨ ଘଣ୍ଟା ପୂର୍ବରୁ ବୋମା ଆକ୍ରମଣ ହୋଇଛି । ଏଥିରେ ତାଙ୍କର ଜଣେ ବିମାନ ଚାଳକ ମଧ୍ୟ ଆହତ ହୋଇଛନ୍ତି । ଏହା ସହିତ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେ ରନୱେର ମରାମତି ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଏହି ଘଟଣାକୁ ନିନ୍ଦା କରିଛନ୍ତି ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟୋନିଆ ଗୁଟରେସ୍ । ଆନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବାକୁ ସେ ଆହ୍ୱାନ କରିଛନ୍ତି ।