କିଭ୍: ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ ଦିନ ରୁଷ୍ ୟୁକ୍ରେନ୍ ଉପରେ ଏକ ବିଶାଳ ଏୟାରଷ୍ଟ୍ରାଇକ୍ କରିଛି ଏବଂ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଦେଶର ବିଭିନ୍ନ ସହରକୁ ଟାର୍ଗେଟ କରିଥିଲା। ରୁଷିଆର ଏହି ଆକ୍ରମଣରେ ଉତ୍ତର-ପୂର୍ବ ସହର ଖାରକିଭ୍ରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ଖାରକିବଙ୍କ ମେୟର ଟେଲିଗ୍ରାମରେ ଲେଖିଛନ୍ତି, ସହର ଉପରେ ବଡ଼ଧରଣର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଅନେକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ଏବଂ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବେ ବି ସହର ଆଡ଼କୁ ଗତି କରୁଛି।
ଆଞ୍ଚଳିକ ଗଭର୍ଣ୍ଣର ଓଲେହ ସିନିହୁବୋଭ କହିଛନ୍ତି ଯେ ସେ ୭ଟି ରୁଷୀୟ ଆକ୍ରମଣର ହିସାବ କରିଛନ୍ତି ଏବଂ ଏବେ ବି କ୍ଷୟକ୍ଷତିଆକଳନ କରୁଛନ୍ତି। ଏହା ପୂର୍ବରୁ ୟୁକ୍ରେନ ବାୟୁସେନା କହିଥିଲା ଯେ ରାତିରେ ରୁଷିଆର ଟିୟୁ-୯୫ ବୋମାବର୍ଷୀ ବିମାନ ଉଡ଼ିଥିଲା। ପରେ କଳା ସାଗରରୁ କାଲିବ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରାଯାଇଥିବା ଘୋଷଣା କରିଥିଲା। ତେବେ ଏହି କ୍ଷେପଣାସ୍ତ୍ର କୁଆଡ଼େ ଯାଉଛି ତାହା ପ୍ରଥମେ ଜଣାପଡ଼ିନଥିଲା।
ଗଭର୍ଣ୍ଣର ସିନିହୁବୋଭ କହିଛନ୍ତି ଯେ ଏହି ଆକ୍ରମଣରେ ଅଗ୍ନିକାଣ୍ଡ ଘଟିଛି ଏବଂ ବେସାମରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖାରକିବ ସହର ରୁଷସୀମାଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ। ପାଖାପାଖି ୩ ବର୍ଷର ଯୁଦ୍ଧ ସମୟରେ ଏହା ବାରମ୍ବାର ବିମାନ ଆକ୍ରମଣର ସମ୍ମୁଖୀନ ହୋଇଛି। ଗତ କିଛି ମାସ ମଧ୍ୟରେ ରୁଷ୍ ୟୁକ୍ରେନ୍ ଭିତରେ ନିଜର ଅଗ୍ରଣୀକୁ ଜୋରଦାର କରିଛି। ଆମେରିକାରେ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ପୁଟିନ୍ ଯଥାସମ୍ଭବ ୟୁକ୍ରେନର ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛନ୍ତି।
ଏହା ପୂର୍ବରୁ ଖାରକିଭ୍ର ମେୟର ଖ୍ରୀଷ୍ଟମାସ ଅବସରରେ ଘୋଷଣା କରିଥିଲେ ଯେ ଫେବୃଆରୀ ୨୦୨୨ରେ ରୁଷିଆର ଆକ୍ରମଣ ପରେ ପ୍ରଥମ ଥର ପାଇଁ ଏହି ସହରକୁ ଛୁଟି ଦିନ ପାଇଁ ଆଲୋକରେ ସଜ୍ଜିତ କରାଯାଇଛି । କିଛି ଦିନ ତଳେ ରୁଷିଆ ଡିସେମ୍ବର ୨୦ତାରିଖରେ କିଭ୍ରେ ୫ଟି ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଫଳରେ କୋଠାଗୁଡ଼ିକରେ ନିଆଁ ଲାଗିଯାଇଥିଲା ଏବଂ ଅନେକ କ୍ଷୟକ୍ଷତି ହୋଇଥିଲା। ଅନେକ ବିଦେଶୀ ଦୂତାବାସ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଅଧିକ ପଢ଼ନ୍ତୁ: କୋର୍ଟରେ ଦାଖଲ ହୋଇପାରେ ଜାମା ମସ୍ଜିଦ୍ ସର୍ଭେ ରିପୋର୍ଟ