ୱାସିଂଟନ: ପାନାମ କେନାଲକୁ ନେଇ ପୁଣି ଥର ଆମେରିକା ଓ ପାନାମା ମଧ୍ୟରେ ଆରମ୍ଭ ହୋଇଛି ବିବାଦ । ପାନାମା କେନାଲରେ ଅହେତୁକ ଟୋଲ୍ ଦର ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି ଏହା ସମାଧାନରେ ପାନାମା ବିଫଳ ହୁଏ, ତେବେ ଆମେରିକା ପୁଣିଥରେ ପାନାମା କେନାଲକୁ ନିଜ ମାଲିକାନାକୁ ନେଇଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ପ୍ରସଙ୍ଗକୁ ନେଇ ଏକ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି, ଆମେରିକାର ଅର୍ଥନୀତି ଓ ଜାତୀୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପାନାମା କେନାଲ୍ ୟୁନାଇଟେଡ୍ ଷ୍ଟେଟସର ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ପତି ଅଟେ । ଆମେରିକାର ବଦାନତ୍ୟକୁ ଜାଣି ମଧ୍ୟ ଆମେରିକାର ପଣ୍ୟବାହୀ ଜାହାଜ ଉପରେ ପାନାମା ପ୍ରଶାସନ ଅହେତୁକ ଟୋଲ୍ ଦର ଆଦାୟ କରିବା ଘଟଣା ଅତ୍ୟେନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଟ୍ରମ୍ପ ।
ସୂଚନାମୁତାବିକ, ପାନାମା କେନାଲ୍ ଦେଇ ଯାଉଥିବା ଆମେରିକାର ପଣ୍ୟବାହୀ ଓ ଯାତ୍ରୀବାହୀ ଜାହାଜ ଉପରେ ପାନାମା ପ୍ରଶାସନ ପକ୍ଷରୁ ସର୍ବନିମ୍ନ ୦.୫୦ ଆମେରିକୀୟ ଡଲାର ଓ ସର୍ବାଧିକ ୩ ଲକ୍ଷ ଆମେରିକୀୟ ଡଲାର ଆଦାୟ କରିଥାଏ । ବର୍ତମାନ ଏହି ଟୋଲ ବୃଦ୍ଧିକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ ।
ପୂର୍ବରୁ ୧୯୧୪ ଠାରୁ ୩୧ ଡିସେମ୍ବର ୧୯୯୯ ଯାଏଁ ପାନାମା କେନାଲ ଆମେରିକା ଦ୍ୱାରା ପରିଚାଳିତ ହେଉଥିଲା । ୧୯୯୭ରେ ଏକ ଚୁକ୍ତି ଦ୍ୱାରା ଆମେରିକା ଏହା ପାନାମା ସରକାରଙ୍କୁ ହସ୍ତାନ୍ତର କରିଥିଲା । ଏହି ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ଏହା ଅନ୍ୟର ଲାଭ ପାଇଁ କେନାଲ ଦିଆଯାଇନାହିଁ ବରଂ ଏହା ହେଉଛି ଆମେରିକା ଓ ପାନାମ ସହଯୋଗର ଏକ ପ୍ରତୀକ । ବର୍ତ୍ତମାନ ଯଦି ଉଭୟ ନୈତିକ ଓ ଆଇନଗତ ନୀତିର ଅବଲମ୍ବନ ନ ହୁଏ, ତେବେ ଆମେରିକା ମଧ୍ୟ ପାନାମା କେନାଲ ଫେରାଇ ଦେବାକୁ ଦାବି କରିବ ବୋଲି କହିଛନ୍ତି ଟ୍ରମ୍ପ ।