ନୂଆଦିଲ୍ଲୀ: କାଜାକିସ୍ତାନର ଏକଟାଉ ସହର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବଡ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ କିଛି ଯାତ୍ରୀ ଜୀବିତ ରହିଥିବା ବେଳେ ଅନେକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । କାଜାକିସ୍ତାନ ସରକାରଙ୍କ ଅନୁସାରେ, ଏହି ଦୁର୍ଘଟଣା ଏକଟାଉ ବିମାନ ବନ୍ଦର ନିକଟରେ ଘଟିଛି । ବିମାନଟି ଆଜରବୈଜାନ ଏୟାରଲାଇନ୍ସର ଥିଲା । ବିମାନଟି ବାକୁରୁ ଉଡାଣ ଭରି ରୁଷର ଚେଚନ୍ୟାର ଗ୍ରୋଜନୀ ଅଭିମୁଖେ ଯାତ୍ରା କରୁଥିଲା । ତେବେ ଘନ କୁହୁଡି କାରଣରୁ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିଲା ।
କାଜାକିସ୍ତାନ ସରକାରଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗି ଯାଇଥିଲା । ସୂଚନା ମିଳିବାମାତ୍ରେ ତୁରନ୍ତ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କିଛି ଲୋକ ଜୀବିତ ଅଛନ୍ତି । ବହୁ ସଂଖ୍ୟାରେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।
ବିମାନରେ ୧୦୫ ଯାତ୍ରୀ ଓ ୫ ଚାଳକ ଦଳର ସଦସ୍ୟ ଥିଲେ । ଏକଟାଉରେ ଜରୁରୀ ଅବତରଣ ପୂର୍ବରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀ ଅବତରଣ ଅନୁମତି ମାଗିବାର କିଛି ସମୟ ପରେ କ୍ରାସ୍ ହୋଇଥିବା କୁହାଯାଉଛି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହାର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ବିମାନ କ୍ରାସ ହୋଇ ନିଆଁ ପିଣ୍ଡୁଳା ପରି ତଳକୁ ଖସୁଥିବା ଦେଖିବାକୁ ମିଳିଛି । ବିମାନଟି ଖଣ୍ଡ ବିଖଣ୍ଡିତ ହୋଇ ତଳେ ପଡିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଏହା ନିକଟରେ ଉଦ୍ଧାକାରୀ ଟିମ୍ ବଞ୍ଚିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି ।
ଫ୍ଲାଇଟ୍ ରାଡାର ୨୪ ଅନୁସାରେ ଯେଉଁ ବିମାନ ଦୁର୍ଘଟଣାର ଶିକାର ହୋଇଛି, ତାହା ଅଜରବୈଜାନ ଏୟାରଲାଇନ୍ସର ଥିଲା । ଏହା ବୁଧବାର ଭୋର ୩ଟା ୫୫(ଭାରତୀୟ ସମୟ ସକାଳ ୯ଟା ୨୫)ରେ ବାକୁରୁ ରୁଷ ଗ୍ରଜନୀ ଅଭିମୁଖେ ଯାତ୍ରା କରୁଥିଲା । ବିମାନର ଜିପିଏସରେ ତ୍ରୁଟି ଆସିବା କାରଣରୁ ଦୁର୍ଘଟଣା ପୂର୍ବରୁ ଏହା କାମ କରିବା ବନ୍ଦ କରି ଦେଇଥିଲା ।