ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଏହା ଦ୍ବିତୀୟ କାର୍ଯ୍ୟକାଳ ହେବ। ଡୋନାଲ୍ଡ ଟ୍ରମ୍ପ ଆରମ୍ଭରୁ କିଛି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଡବ୍ଲ୍ୟୁଏଚ୍ଓ।
ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)କୁ ଅନେକ ଥର ଚୀନ୍ର କଣ୍ଢେଇ ବୋଲି ବର୍ଣ୍ଣନା କରିଛନ୍ତି। କରୋନା କାଳରେ ଡବ୍ଲ୍ୟୁଏଚ୍ଓ ଏଥିପାଇଁ ଚୀନକୁ ଥରେ ବି ସମାଲୋଚନା କରିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଟ୍ରମ୍ପ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିବାର ପ୍ରଥମ ଦିନରେ ଡବ୍ଲୁଏଚ୍ଓରୁ ଅଲଗା ହେବାର ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।
ୱାଶିଂଟନର ଜର୍ଜଟାଉନ ୟୁନିଭର୍ସିଟିର ଗ୍ଲୋବାଲ ହେଲ୍ଥ ପ୍ରଫେସର ଲରେନ୍ସ ଗୋଷ୍ଟିନ କହିଛନ୍ତି ଯେ ଟ୍ରମ୍ପଙ୍କ ଟ୍ରାନଜିସନ ଟିମ୍ ଏଥିପାଇଁ ପ୍ରସ୍ତୁତି ଚଳାଇଛି। ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନ କିମ୍ବା କିଛି ଦିନ ମଧ୍ୟରେ ଡବ୍ଲୁଏଚଓରୁ ଓହରିଯିବାକୁ ନିଷ୍ପତ୍ତି ନେଇପାରନ୍ତି।
ଟ୍ରମ୍ପ କିମ୍ବା ତାଙ୍କ ଟିମ୍ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଯଦି ଆମେରିକା ଡବ୍ଲୁଏଚ୍ଓଠାରୁ ଅଲଗା ହୁଏ, ତେବେ ଏହା ଏହାର ବିଶ୍ୱ ସ୍ୱାସ୍ଥ୍ୟ ନୀତି ପାଇଁ ଏକ ବଡ଼ ପରିବର୍ତ୍ତନ ହେବ।
ଡୋନାଲ୍ଡ ଟ୍ରମ୍ପ ନିଜ ନୂଆ ଟିମକୁ ନେଇ ଅନେକ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ଟ୍ରମ୍ପ ରବର୍ଟ କେନେଡି ଜୁନିୟରଙ୍କୁ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି। ରବର୍ଟ କେନେଡିଙ୍କୁ ଟିକା ବିରୋଧୀ ବୋଲି ବିବେଚନା କରାଯାଏ । ସେମାନେ କହିଛନ୍ତି ଯେ ଟିକା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ।
ଏହା ପ୍ରଥମ ଥର ନୁହେଁ ଯେ ଆମେରିକା ଡବ୍ଲୁଏଚ୍ଓଠାରୁ ଅଲଗା ହେବା କଥା କହିବା ଆରମ୍ଭ କରିଛି। ଏହା ପୂର୍ବରୁ ୨୦୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଏଥିପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ୬ ମାସ ପରେ ବାଇଡେନ୍ କ୍ଷମତାକୁ ଆସି ନିଜ ନିଷ୍ପତ୍ତିକୁ ବଦଳାଇ ଦେଇଥିଲେ। ଏବେ ଟ୍ରମ୍ପ ପୁଣି ଥରେ ଦାୟିତ୍ୱ ନେବାକୁ ଯାଉଥିବାରୁ ସେ ପୁଣି ଥରେ ଏହା ଘୋଷଣା କରିପାରନ୍ତି।
ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଡବ୍ଲୁଏଚଓକୁ ଚୀନର କଣ୍ଢେଇ ବୋଲି ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ସଂଗଠନ କୋଭିଡ୍-୧୯ ପାଇଁ ଚୀନ୍କୁ ଦାୟୀ କରିନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିବା ନିଷ୍ପତ୍ତି ଭବିଷ୍ୟତର ସ୍ୱାସ୍ଥ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ପ୍ରସ୍ତୁତି ଉପରେ ମଧ୍ୟ ପ୍ରଭାବ ପକାଇବ।
ଅଧିକ ପଢ଼ନ୍ତୁ: ଥାନାରେ ପହଞ୍ଚିଲେ ‘ପୁଷ୍ପା-୨’ ଅଭିନେତା