ନୂଆଦିଲ୍ଲୀ: ବ୍ରିକ୍ସର ସଦସ୍ୟ ହେବା ପାଇଁ ଆଶା ବାନ୍ଧି ବସିଥିବା ପାକିସ୍ତାନକୁ ବଡ ଝଟକା ଲାଗିଛି । ଭାରତର ତୀବ୍ର ବିରୋଧ କାରଣରୁ ପାକିସ୍ତାନକୁ କେବଳ ବ୍ରିକ୍ସର ସଦସ୍ୟତା ହେବାରୁ ବଞ୍ଚିତ ହେବାକୁ ପଡିନି ବରଂ ସହଭାଗୀ ଦେଶ ତାଲିକାରେ ମଧ୍ୟ ସ୍ଥାନ ମିଳିିନି । କିନ୍ତୁ ତୁର୍କୀଏ ନିଜକୁ ବ୍ରିକ୍ସର ସହଭାଗୀ ଦେଶ ଭାବେ ତାଲିକାରେ ସାମିଲ କରାଇବାର ମହତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ।
ଋୁଷ ନିକଟରେ ୧୩ ନୂତନ ସହଭାଗୀ ଦେଶ ତାଲିକା ଘୋଷଣା କରିଛି । ଏଥିରେ ଆଲଜେରିଆ, ବେଲାରୁଷ, ବୋଲିଭିଆ, କ୍ୟୁବା, ଇଣ୍ଡୋନେସିଆ, କଜାକସ୍ତାନ, ମାଲେସିଆ, ଥାଇଲାଣ୍ଡ, ତୁର୍କୀଏ, ୟୁଗାଣ୍ଡା, ନାଇଜେରିଆ, ଉଜବେକିସ୍ତାନ ଓ ଭିଏତନାମ ସାମିଲ । ଏହି ସବୁ ଦେଶ ୨୦୨୫ ଜାନୁଆରୀରୁ ବ୍ରିକ୍ସର ପାର୍ଟରନ ଦେଶ ହେବେ । ପାକିସ୍ତାନ ଯେଉଁଠି ଚୀନ ଓ ରୁଷର ସମର୍ଥନରେ ବ୍ରିକ୍ସରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା, ଏଥିରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି ।
ତୁର୍କୀଏ ସଫଳ ହେବାର କାରଣ
କୁହାଯାଉଛି କାଶ୍ମୀର ପ୍ରସଙ୍ଗରେ ତୁର୍କୀଏର ରାଷ୍ଟ୍ରପତି ରେଚେପ ତୈୟପ ଏର୍ଦୋଗାନଙ୍କ ଆଭିମୁଖରେ ପରିବର୍ତ୍ତନ କାରଣରୁ ଭାରତ ତୁର୍କୀଏର ଦାବିଦାରକୁ ବିରୋଧ କରିନାହିଁ । ଅନ୍ୟପଟେ ପାକିସ୍ତାନର ବ୍ରିକ୍ସରେ ସାମିଲ ହେବାର ଉଦ୍ୟମ ଭାରତର ବିରୋଧ କାରଣରୁ ବିଫଳ ରହିଛି । ତୁର୍କୀଏର ସଫଳତା ଏହାର ଉଦାହରଣ ଯେ, କୂଟନୀତିରେ ମଧୁରତା ଓ ରଣନୀତି କେତେ କାମ ଆସେ । ପାକିସ୍ତାନକୁ ଏବେ ନିଜର କୂଟନୈତିଜ୍ଞ ପ୍ରୟାସ ଉପରେ ପୁନର୍ବିଚାର କରିବାକୁ ପଡିବ ।
ବ୍ରିକ୍ସର ନୂତନ ସଦସ୍ୟ ଦେଶରେ ସାମିଲ ହେବା ପାଇଁ ସବୁ ସଂସ୍ଥାପକ ସଦସ୍ୟ ଦେଶର ସହମତି ଜରୁରୀ ହୋଇଥାଏ । ଭାରତ ସଂସ୍ଥାପକ ଦେଶ ଭାବେ ପାକିସ୍ତାନର ଦାବିଦାରକୁ କଡା ବିରୋଧ କରିଥିଲା । ଏହା ସବୁ ସେହି ସମୟରେ ଘଟିଲା ଯେତେବେଳେ ଚୀନ ଓ ରୁଷ ପାକିସ୍ତାନର ସମର୍ଥନ କରିବାକୁ ଉଦ୍ୟମ କଲେ । ଆଉ ଭାରତ ସ୍ପଷ୍ଟ ସ୍ୱରରେ ଏହାର ବିରୋଧ କରିଥିଲା । ଫଳରେ ପାକିସ୍ତାନର ବ୍ରିକ୍ସ ଦ୍ୱାର ବନ୍ଦ ହୋଇ ଯାଇଛି ।