ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନ ମଙ୍ଗଳବାର ପୂର୍ବାହ୍ଣରେ ହାଇଦ୍ରାଦାବ୍ର ଚିକ୍କଡପଲ୍ଲୀ ଥାନାରେ ପହଞ୍ଚିଛନ୍ତି। ଗତ ୪ ତାରିଖରେ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ପୁଲିସର ସମନ ଆଧାରରେ ସେ ଥାନାରେ ପହଞ୍ଚିଛନ୍ତି। ବିଭିନ୍ନ ପାରିପାର୍ଶ୍ବିକ ଅବସ୍ଥାକୁ ନେଇ ଆଜି ତାଙ୍କୁ ପୁଲିସ ପଚରାଉଚରା କରିବ। ସେଥି ପାଇଁ ସେ ତାଙ୍କ ଆଇନଜୀବୀ ଦଳ ସହ ଚିକ୍କାଡପଲ୍ଲୀ ପୁଲିସ ଥାନାରେ ପହଞ୍ଚିଛନ୍ତି। ତେବେ ଥାନାରେ ପହଞ୍ଚିବା ପୂର୍ବରୁ ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ସେହିପରି ଅଲ୍ଲୁଙ୍କ ସମର୍ଥକମାନେ ମଧ୍ୟ ରାସ୍ତାକଡ଼ରେ ଦେଖିବାକୁ ମିଳିଥିଲା।
ରବିବାର ଦିନ ଓସ୍ମାନିଆ ବିଶ୍ୱବିଦ୍ୟାଳୟର ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଓୟୁ-ଜେଏସି)ର ସଦସ୍ୟ ବୋଲି ଦାବି କରି କିଛି ବିକ୍ଷୋଭକାରୀ ଆଲୁ ଅର୍ଜୁନଙ୍କ ବାସଭବନରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରୁଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏହି ଘଟଣାକୁ ନିନ୍ଦା କରିବା ସହ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ପୁଲିସ କହିଛି ଯେ ବିକ୍ଷୋଭକାରୀମାନେ ରବିବାର ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କମ୍ପାଉଣ୍ଡ କାନ୍ଥରେ ଚଢ଼ି ଭିତରକୁ ଟମାଟୋ ଫିଙ୍ଗିବା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀମାନେ ଏହାକୁ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିବାରୁ ବିକ୍ଷୋଭକାରୀମାନେ ସେଠାରେ ରଖାଯାଇଥିବା ଜିନିଷପତ୍ର ଭାଙ୍ଗି ଦେଇଥିଲେ। ସେମାନେ ଅଭିନେତାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ମହିଳାଙ୍କ ପରିବାରକୁ ଏକ କୋଟି ଟଙ୍କା ସହାୟତା ଦାବି କରିଥିଲେ।
ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଅଟକ ରଖି ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଘଟଣା ସମୟରେ ଅଭିନେତା ଘରେ ନଥିଲେ। ପୁଲିସ ତାଙ୍କ ଘରେ ସୁରକ୍ଷା ବଢ଼ାଇଛି। ଅଲ୍ଲୁ ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦ କହିଛନ୍ତି ଯେ ଆଇନ ନିଜର କାମ କରିବ।
ଅଲ୍ଲୁ ଅର୍ଜୁନ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, 'ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ନିବେଦନ କରୁଛି ଯେ ସେମାନେ ନିଜ ଭାବନାକୁ ଦାୟିତ୍ବପୂର୍ଣ୍ଣ ଭାବରେ ପ୍ରକାଶ କରନ୍ତୁ। ଅନ୍ଲାଇନ୍ ହେଉ କି ଅଫ୍ଲାଇନ୍, ପୂର୍ବଭଳି କୌଣସି ପ୍ରକାର ଅପମାନଜନକ ଭାଷା କିମ୍ବା ଆଚରଣ କରନ୍ତୁ ନାହିଁ। ନକଲି ପରିଚୟପତ୍ର ଓ ନକଲି ପ୍ରୋଫାଇଲ୍ ଜରିଆରେ ନିଜକୁ ପ୍ରଶଂସକ ପରିଚୟ ଦେଇ ଅପମାନଜନକ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ମହିଳାଙ୍କ ମୃତ୍ୟୁ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ତେଲେଙ୍ଗାନା ପୁଲିସ ମହାନିର୍ଦ୍ଦେଶକ ଜିତେନ୍ଦ୍ର କରିମନଗରରେ କହିଛନ୍ତି ଯେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ ଅନ୍ୟମାନେ ବୁଝିବା ଉଚିତ ଯେ ନାଗରିକଙ୍କ ସୁରକ୍ଷା ସର୍ବୋଚ୍ଚ ଏବଂ ସେମାନେ ସେହି ଅନୁଯାୟୀ ଆଚରଣ କରିବା ଉଚିତ୍ । ହାଇଦ୍ରାବାଦ ପୁଲିସ କମିଶନର ସିଭି ଆନନ୍ଦ ପୁଲିସ କର୍ମଚାରୀଙ୍କ ସହ ଅସଦାଚରଣ କରୁଥିବା ବାଉନ୍ସରମାନଙ୍କୁ କଡା ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଗତ ୪ ତାରିଖ ଦିନର ଘଟଣାରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୮ ବର୍ଷର ପୁଅ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ନାବାଳକର ଚିକିତ୍ସା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଅଲ୍ଲୁ ସହାୟତା ପ୍ରଦାନ କରିଛନ୍ତି। ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ: ଆମେରିକାରେ ପଞ୍ଜାବର ଡ୍ରଗ୍ସ ମାଫିଆ ହତ୍ୟାକାଣ୍ଡ